
ଜଗତସିଂହପୁର ଟାଉନ୍: କରୋନା କଷଣକୁ ଭୁଲିବା ଏତେ ସହଜ ହୋଇ ପାରୁନାହିଁ। କିଛି ଲୋକଙ୍କ କ୍ଷେତ୍ରରେ ଦୀର୍ଘ ବର୍ଷର ଜୀବନ ଜୀବିକାକୁ କରୋନା ଯେମିତି ପୂରା ବଦଳାଇ ଦେଇଛି। କରୋନାର ମୁକାବିଲା କରି ଜୀବନ ସଂଘର୍ଷରେ ହାରି ନଥିବା ସେପରି ଜଣେ ଯୁବକ ହେଉଛନ୍ତି ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ବେଲପୋଖରୀ ପାଟଣା ଗାଁର ବିଜୟ କୁମାର ଦୁବେ। ଦୀର୍ଘ ବର୍ଷ ଧରି ଛୋଟ ଗାଡ଼ିଠାରୁ ଆରମ୍ଭ କରି ଟ୍ରକ୍ ବସ୍ ଭଳି ଭାରୀଯାନ ଚଳାଇ ଦକ୍ଷ ଡ୍ରାଇଭର୍ ଭାବେ ପରିବାର ପ୍ରତିପୋଷଣ କରୁଥିଲେ ବିଜୟ। କରୋନା ସମୟରେ ବସ୍ଟ୍ରକ୍ ଚଳାଚଳ ପ୍ରାୟତଃ ବନ୍ଦ ହୋଇଗଲା। କରୋନା ଭୟ ଥିବାରୁ ମାଲିକମାନେ ଗାଡ଼ିକୁ ଛିଡ଼ା କରିଦେଲେ। ଯେଉଁ କିଛି ଗାଡ଼ି ଯାତାୟତ କଲା ସେଥିରେ ଗାଡ଼ି ମାଲିକ କ୍ଷତି ସହିବାରୁ ଦୈନିକ ଚଳାଚଳ ମଧ୍ୟ ବନ୍ଦ କରିଦେଲେ। ଫଳରେ ବିଜୟଙ୍କ କ୍ଷେତ୍ରରେ ଗାଡ଼ି ଚଳାଇବା ଆଉ ସମ୍ଭବ ହେଲା ନାହିଁ। ଦୀର୍ଘ ୬ ମାସ ଘରେ ବେକାର ବସି ରହିଲେ। ଏହାର କିଛି ଦିନ ପରେ ହଠାତ୍ ଚା ଦୋକାନଟିଏ କରିବାକୁ ମନ ବଳାଇଲେ।।
ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିବା ଦେଖି ବିଜୟ ଚର୍ଚ୍ଚିକା ବଜାର ନୂତନ କୋର୍ଟ ନିକଟରେ ଏକ ଚା ଓ କଫି ଦୋକାନ ଆରମ୍ଭ କଲେ। ଅନ୍ୟ ଚା, କଫି ଦୋକାନ ଅପେକ୍ଷା ତାଙ୍କ ପରଷିବା ଚା, କଫିର ଚାହିଦା ଟିକେ ନିଆରା। କାରଣ ଖାଣ୍ଟି କ୍ଷୀରରେ ଚା ଓ କଫି ବନାଇ ଗ୍ରାହକଙ୍କ ମନ ଜିଣି ନେଲେ। ଏଣେ ମାଟି ଓ ପିତଳ କପ୍ରେ ଚା, କଫି ପରିବେଷଣ କରିବାରୁ ଗ୍ରାହକ ନିଆରା ଅନୁଭବରେ ଆକର୍ଷିତ ହେଲେ। ଦିନକୁ ଦିନ ତାଙ୍କ ଚା ଦୋକାନର ଭିଡ଼ ବି ବଢ଼ୁଛି। ବିଜୟ କୁହନ୍ତି ତାଙ୍କର ଝିଅର ବାହାଘର ସରିଛି। ପୁଅ ମଧ୍ୟ ବାପାଙ୍କୁ ସାହଯ୍ୟ କରୁଛି। ପୂର୍ବରୁ ଗାଡ଼ି ଚଳାଇ ଦୈନିକ ୩୫୦ ରୁ ୪ ଶହ ଟଙ୍କା ରୋଜଗାର କରୁଥିବା ବେଳେ ଏବେ ପ୍ରତିଦିନ ପ୍ରାୟ ୨ ହଜାର ଟଙ୍କା ବିକ୍ରି ଦେଉଛି। ପ୍ରତିଦ୍ବନ୍ଦ୍ବିତା ବଜାରରେ ଲାଭାଂଶ କମ୍ ହେଲେ ବି ପରିବାର କଷ୍ଟମଷ୍ଟେ ଚଳି ଯାଉଛି। ଏହା ତାଙ୍କୁ ମାନସିକ ଶାନ୍ତି ଦେଉଥିବାରୁ ସେ ଏବେ ବେଶ୍ ଖୁସି ବୋଲି କହିଛନ୍ତି।
The post ବଦଳିଗଲା ଜୀବନଜୀବିକା; ଗାଡ଼ି ଚାଳକରୁ ବନିଗଲେ ଚା-କଫି ଦୋକାନୀ first appeared on Sambad.
from ଜିଲ୍ଲା – Sambad https://ift.tt/3cYHyVu
0 Comments