କଟକ: ବହୁ ଚର୍ଚ୍ଚିତ ହାଡ଼ିଆ ହତ୍ୟାକାଣ୍ଡରେ ସମ୍ପୃକ୍ତ ଶିବାଜୀନଗରର ଦୁଇ ଭାଇ ଦୀପକ ମଲ୍ଲିକ ଓ ଶାନ୍ତନୁ ମଲ୍ଲିକଙ୍କୁ ଏବେ କୌଣସି ସମ୍ପର୍କୀୟ ନିଜ ଘରେ ଆଶ୍ରୟ ଦେଉନାହାନ୍ତି। ପୁଲିସ ସମସ୍ତ ସମ୍ପର୍କୀୟଙ୍କୁ ପୃଥକ ଭାବେ ଘଟଣା ସମ୍ପର୍କରେ ସୂଚନା ଦେଇଥିବାରୁ ସମ୍ପର୍କୀୟମାନେ ଦୁଇ ଭାଇଙ୍କୁ ଘରେ ଆଶ୍ରୟ ଦେବାକୁ ଭୟ କଲେଣି। ପୁଲିସ ଢେଙ୍କାନାଳ, ଅନୁଗୁଳ ସମେତ ଏବେ ସମ୍ବଲପୁର ଜିଲ୍ଲାରେ ବି ଚଢ଼ଉ କରିଥିଲା। ଏହି ସବୁ ଜିଲ୍ଲାରେ ପୁଲିସ ଚଢ଼ଉ ପୂର୍ବରୁ ଦୁଇ ଭାଇ ଫେରାର ହୋଇଯାଇଛନ୍ତି। ପୁଲିସ ଯେଉଁ ଖବରି ନିୟୋଜିତ କରିଛି, ସେହି ଖବରି ଖବର ଦେବାରେ ବିଳମ୍ବ କରୁଥିବାରୁ ଅଭିଯୁକ୍ତଦ୍ବୟ ଖସିବାରେ ସହଜ ହେଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଇମାମପଡ଼ା ଗଡ଼ା ନିକଟରେ ୨୦୨୦ ସେପ୍ଟେମ୍ବର ୨ ତାରିଖରେ ହାଡ଼ିଆକୁ ଶିବାଜୀ ନଗର ଅଞ୍ଚଳର ଦୁଇ ଭାଇ ଦୀପକ ଓ ଶାନ୍ତନୁ ହତ୍ୟା କରିଥିଲେ। ଶିବାଜୀ ନଗରରେ ଥିବା ଏହି ଦୁଇ ଭାଇଙ୍କ ବାଡ଼ିରେ ହାଡ଼ିଆ ଚୋରା ମଦ ଲୁଚାଇ ରଖୁଥିଲା। ଦୁଇ ଭାଇ ହାଡ଼ିଆକୁ ବିରୋଧ କରିଥିଲେ। ହାଡ଼ିଆ ୨ ତାରିଖ ସକାଳେ ସେମାନଙ୍କୁ ମାଡ଼ ମାରିଥିଲା।

ଏହାର ପ୍ରତିଶୋଧ ନେବାକୁ ଯାଇ ସେଦିନ ରାତିରେ ହାଡ଼ିଆକୁ ଇପସାର୍ ଗଡ଼ା ନିକଟରେ ହତ୍ୟା କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କ ପ୍ରକୃତ ଘର ବଡ଼ମ୍ବା ହୋଇଥିବା ବେଳେ ସେମାନେ ଶିବାଜୀନଗରରେ ଘର କରି ରହୁଥିଲେ। ହତ୍ୟାକାଣ୍ଡ ଘଟିବା ପରେ ପ୍ରଥମେ ସେମାନେ ବଡମ୍ବାରେ ଥିବା ନିଜ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ପୁଲିସ ପହଞ୍ଚିଯିବାରୁ ଫୋନ୍ ସୁଇଚ୍ ଅଫ୍ କରି ଫେରାର ହୋଇଯାଇଛନ୍ତି। ପୂର୍ବରୁ ଦୁଇ ଭାଇଙ୍କୁ ଧରିବାକୁ ପୁଲିସ ବଡମ୍ବା, ନରସିଂହପୁର, ଜଗତସିଂହ, କେନ୍ଦ୍ରାପଡ଼ାରେ ଚଢ଼ଉ କରିଥିଲା। କିନ୍ତୁ ସେମାନେ ବାରମ୍ବାର କୌଶଳକ୍ରମେ ଜିଲ୍ଲା ବଦଳାଉଥିବାରୁ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ହାଡ଼ିଆ ହତ୍ୟାକାଣ୍ଡ ମାମଲାରେ ଲାଲବାଗ ଥାନା ଚାନ୍ଦିନୀଚୌକ ଅଞ୍ଚଳର ଏକ ମାତ୍ର ପ୍ରତ୍ୟକ୍ଷଦର୍ଶୀ ମୁକେଶ ସୁସ୍ଥ ଥିବା ବେଳେ ହାଡ଼ିଆକୁ ହତ୍ୟା କରାଯାଇଥିବା ଖଣ୍ଡା ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ ଲାଗିପାରି ନାହିଁ।
ଇପସାର ଗଡ଼ା ନିକଟରେ ଥିବା ହାଡ଼ିଆର ବାଲିଗୋଡ଼ି ଦୋକାନରେ ମୁକେଶ କାମ କରୁଥିବା ବେଳେ ହତ୍ୟାକାଣ୍ଡ ଦିନ ଦୁର୍ବୃତ୍ତମାନେ ପ୍ରଥମେ ମୁକେଶକୁ ହାଣିଥିଲେ। ପରେ ହାଡ଼ିଆକୁ ହାଣିଥିଲେ। ମୁକେଶ ହତ୍ୟାକାରୀଙ୍କୁ ସ୍ପଷ୍ଟ ଭାବେ ଦେଖିଥିବାରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୁଲିସ ପାଇଁ କଷ୍ଟକର ହେବ ନାହିଁ ବୋଲି କୁହାଯାଉଛି। ପୁଲିସ ଦୁଇ ଭାଇଙ୍କ ମୋବାଇଲ୍ ଟ୍ରାକ୍ କରୁଥିବାରୁ ଏମାନେ ଭୟରେ ୬ ମାସ ହେବ ମୋବାଇଲ ବ୍ୟବହାର କରିବା ବି ଛାଡ଼ି ଦେଇଛନ୍ତି। ଦୁଇ ଭାଇଙ୍କ ପାଖାପାଖି ପୁଲିସ ଏବେ ପହଞ୍ଚି ଥିବା ବେଳେ ଖୁବ ଶୀଘ୍ର ଏମାନେ ଗିରଫ ହେବେ ବୋଲି ବିଡାନାସୀ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।
The post ଦୁର୍ଦ୍ଦାନ୍ତ ହାଡ଼ିଆ ହତ୍ୟାକାଣ୍ଡ: ଦୁଇ ଭାଇଙ୍କୁ ଆଉ ମିଳୁନି ଆଶ୍ରୟ; ସମ୍ବଲପୁରରେ ପୁଲିସ ଟିମ୍ first appeared on Sambad.
from ଜିଲ୍ଲା – Sambad https://ift.tt/2ZaA4a0
0 Comments