ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସୂଚନା ପ୍ରକାରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ୩୦୦ରୁ ଅଧିକା କୁଟିଆ ଆଦିବାସୀଙ୍କୁ ତିନି ବର୍ଷର ରାସନ ଚାଉଳ ମିଳି ନଥିଲା। ଏହାକୁ ଅଧିକାରୀ ମାନେ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଚଞ୍ଚକତାପୂର୍ଣ୍ଣ ଉପାୟରେ ହଡ଼ପ କରି ଅର୍ଥ ଭାଗବାଣ୍ଟି ଖାଇ ଯାଇଥିଲେ। ଏ ନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ପରେ ଘଟଣାଟି ଲୋକ ଲୋଚନକୁ ଆସି ପାରିଥିଲା। ପ୍ରାଥମିକ ତଦନ୍ତରୁ ଘଟଣାରେ ସତ୍ୟତା ଥିବା ଜଣା ପଡ଼ିଥିଲା। ଏଥିରେ  ପରିବହନ ସଂସ୍ଥା, ଗୋଦାମ ମାଲିକ ଓ ଯୋଗାଣ ବିଭାଗର ବଡ଼ ବଡ଼ ଅଧିକାରୀ, ପଞ୍ଚାୟତ ଯୋଗାଣ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସାମିଲ ଥିବା ଜଣା ପଡ଼ିଥିଲା।
ପରେ ଘଟଣାକୁ ଚପାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତଳ ଅଧିକାରୀ ମାନେ ଲାଗି ପଡ଼ିଥିଲେ। ଏହାକୁ ନେଇ ବ୍ଲକ୍ ଯୋଗାଣ ଅଧିକାରୀ, ପଞ୍ଚାୟତ ଯୋଗାଣ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଜାମିନ୍‌ରେ ଛାଡ଼ି ଦିଆଗଲା। ଏତିକିରେ ହିଁ ଅଟକି ଯାଇଥିଲା କାର୍ଯ୍ୟାନୁଷ୍ଠାନ। ମାତ୍ର ସାଧାରଣ କୁଟିଆ ଆଦିବାସୀଙ୍କ ହକ୍‌ ଓ ନ୍ୟାୟ ପାଇଁ ‘ସମ୍ବାଦ’ରେ ଏହି ମହାଦୁର୍ନୀତିର ଫର୍ଦ୍ଦ ପ୍ରକାଶ ପାଇ ଚାଲିଲା। ପରେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ୍ ଟିମ୍ ଅଚାନକ ଆସି ଗୋଦାମରେ ଚଢ଼ଉ କରି କାଗଜପତ୍ର ଜବତ କରି ଦେଇଥିଲେ। ଆଉ ଏବେ ରାଜ୍ୟ ସରକାର ଏହି କେଳେଙ୍କାରୀର ସ୍ଵତନ୍ତ୍ର ଅଡ଼ିଟ୍ ନିର୍ଦ୍ଦେଶ ଦେବା ପରେ ଅଡ଼ିଟ୍‌ ଆରମ୍ଭ ହୋଇଛି। ହେଲେ ଏହାର ଫଳାଫଳ କୁଟିଆ ଆଦିବାସୀଙ୍କୁ ନ୍ୟାୟ ଦେଇପାରୁଛି କି ବଡ଼ବଡ଼ିଆଙ୍କ ଚାପରେ ଦିଗଭ୍ରଷ୍ଟ ହଉଛି, ତାହା ଦେଖିବାକୁ ବାକି ରହିଲା।

The post କନ୍ଧମାଳ ରାସନ ଦୁର୍ନୀତି, କୁଟିଆ ଆଦିବାସୀଙ୍କ ରାସନ ହଡ଼ପର ଅଡିଟ୍ ଆରମ୍ଭ first appeared on Sambad.



from ଜିଲ୍ଲା – Sambad https://ift.tt/2ZHEchU