କିଶନନଗର: ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ବୋଲି ଚାରିମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଇତିମଧ୍ୟରେ ରାଜ୍ୟର କେତେଜଣ ସଂଗ୍ରାମୀଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମର ମାନ୍ୟତା ମିଳି ସାରି‌ଲାଣି। ହେଲେ, ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ସାହିତ୍ୟିକ, ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ସ୍ବର୍ଗତ ବିନୋଦ କାନୁନ୍‌ଗୋଙ୍କ ଜନ୍ମମାଟି କିଶନନଗର ତହସିଲର ମଲ୍ଲୀପୁରକୁ ବର୍ତ୍ତମାନସୁଦ୍ଧା ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ ନାହିଁ। ଏ ନେଇ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। ଫଳରେ କିଶନନଗର ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିବା ସହ ମଲ୍ଲୀପୁରକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।

Sambad

ପ୍ରକାଶଥାଉ କି, ଭାରତର ସ୍ବାଧୀନତା ଆନ୍ଦୋଳନରେ କଟକ ଜିଲ୍ଲାର ମଲ୍ଲୀପୁରର ପ୍ରମୁଖ ଭୂମିକା ରହିଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିନୋଦ କାନୁନ୍‌ଗୋଙ୍କ ଜନ୍ମସ୍ଥାନ ଏହି ଗ୍ରାମର ‘ଖସାମୂଳି’ ସ୍ବାଧୀନତା ଆନ୍ଦୋଳନର ଗୁପ୍ତ ପ୍ରଚାରସ୍ଥଳୀ ଭାବେ ଖ୍ୟାତି ଅର୍ଜନ କରିଥିଲା। ଏହା ମଧ୍ୟ ଗାନ୍ଧୀଜୀଙ୍କ ଚରଖା ଆନ୍ଦୋଳନ ସ୍ମାରକୀର ବାହକ। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ଆଗଧାଡ଼ିର ବହୁ ନେତାଙ୍କୁ ଗିରଫ କରାଯିବା ପରେ ବିନୋଦ କାନୁନ୍‌ଗୋ ଏହି ଗୁପ୍ତ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏଠାରେ ଲିଥୋ ମେସିନରେ ପ୍ରଚାରପତ୍ର ପ୍ରସ୍ତୁତ କରାଯାଉଥିଲା। ଆନ୍ଦୋଳନ ପ୍ରତି ଲୋକଙ୍କୁ ଅନୁପ୍ରାଣିତ କରିବା ପାଇଁ ଏଠାରେ ହଜାର ହଜାର ସଂଖ୍ୟାରେ ପ୍ରଚାରପତ୍ର ଛପା ଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। ଏହି କାର୍ଯ୍ୟରେ ବିନୋଦ କାନୁନ୍‌ଗୋଙ୍କ ପତ୍ନୀ ତଥା ସ୍ବାଧୀନତା ସଂଗ୍ରାମୀ ଶଶିବାଳା ମଧ୍ୟ ସହଯୋଗ କରୁଥିଲେ।

 

The post ଘୋଷଣାକୁ ଚାରିମାସ ବିତିଲାଣି...ସଂଗ୍ରାମୀଙ୍କ ଜନ୍ମମାଟି ମଲ୍ଲୀପୁର ଆଦର୍ଶ ଗ୍ରାମ ହେବ କେବେ? first appeared on Sambad.



from ଜିଲ୍ଲା – Sambad https://ift.tt/3bkBZi1