ବଣାଇଗଡ଼ : ବଣାଇଗଡ଼ ବ୍ଲକ୍‌ ଅନ୍ତର୍ଗତ କଷଡ଼ା ଗ୍ରାମରେ ଦୀର୍ଘ ଦେଢ ବର୍ଷ ତଳେ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟସରକାରଙ୍କ ବସୁଧା ଯୋଜନାରେ ଏକ ଓଭରହେଡ ଟ୍ୟାଙ୍କ ନିର୍ମାଣ ସରିଥିଲେ ମଧ୍ୟ ବିଭାଗୀୟ ଅପାରଗତା ଯୋଗୁଁ ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏହି ପ୍ରକଳ୍ପଟି ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଣାଇଗଡ଼ ବ୍ଲକ୍‌ ମାଧ୍ୟମରେ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ପାରୁନି। ବର୍ତ୍ତମାନ ଗ୍ରୀଷ୍ମଦିନରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଏ ବିଷୟରେ ଗ୍ରାମବାସୀ ବଣାଇଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକ୍ଷମ କରିବାକୁ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି।

ଏ ବିଷୟରେ ଗ୍ରାମବାସୀ କଷଡ଼ା ସରପଂଚ ଏବଂ ବଣାଇଗଡ଼ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଜଣାପଡିଛି। ଗ୍ରାମର ବୈଷ୍ଣବ ସାହୁ, ପ୍ରଦୀପ ନାୟକ, କୈଳାସଚନ୍ଦ୍ର କିସାନ, ଲଳିତା ମହାକୁଳ, ସନ୍ତୋଷ ଅଟୀ, ଜୀବନ ଜ୍ୟୋତି କେର୍କେଟା, ପୁରୁଷୋତ୍ତମ ପ୍ରଧାନ, ଗୁରୁଚରଣ ଲୁହୁରା, ନାଗା ମହାକୁଳ, ଦୁଳାନନ୍ଦ ନାୟକ, କହ୍ନେଇ ପାତ୍ର, ଦିଲୀପ ଏକ୍କା, ଚିତ୍ରସେନ ପ୍ରଧାନ, ବିନୋଦ କିସାନ ପ୍ରମୁଖ ବଣାଇଗଡ ବିଡିଓ ସନ୍ତୋଷ କୁମାର ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ଯନ୍ତ୍ରୀ ବିକାଶ ଦଣ୍ତପାଟଙ୍କୁ ଯୋଗାଯୋଗ କରିବାରୁ ବର୍ତମାନ ପାଣିଟାଙ୍କିକୁ ସଂଯୋଗ ହୋଇଥିବା ପାଇପ ଲାଇନଗୁଡିକ ବହୁ ସ୍ଥାନରେ ଭାଙ୍ଗି ରୁଜି ଯାଇଥିବାରୁ ଏହାକୁ ମରାମତି କାର୍ଯ୍ୟ ଚାଲିଛି, ଆଗାମୀ ଦୁଇଦିନ ମଧ୍ୟରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିବା ସହିତ ଲାଗିଥିବା ପାଣି ମୋଟରଟି ସ୍ବଳ୍ପ କ୍ଷମତା ବିଶିଷ୍ଟ ହୋଇଥିବାରୁ ଏହାକୁ ବଦଳ କରି ଉଚ୍ଚ କ୍ଷମତା ସମ୍ପନ୍ନ ମଟର ଲଗାଯାଇ ପାନୀୟ ଜଳ ବ୍ୟବସ୍ଥାକୁ ସୃଦୃଢ କରାଯିବ ବୋଲି କହିଛନ୍ତି।

The post କଷଡ଼ାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉନି, ଲୋକେ ପାଣି ପାଇଁ ହିନସ୍ତା first appeared on Sambad.

from ଜିଲ୍ଲା | Sambad https://ift.tt/3w9DKrD