
ଟିଟିଲାଗଡ଼: ଟିଟିଲାଗଡ଼ ସହରସ୍ଥିତ ରଘୁନାଥପଡ଼ାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନୂଆପଡ଼ା, ଭବାନୀପାଟଣା ଓ ବଲାଙ୍ଗୀରର ୪ ଟି କମ୍ପାନି ତଥା ଘର ଉପରେ ଜି.ଏସ.ଟି ବିଭାଗ ଚଢ଼ାଉ କରିଛନ୍ତି। ଗତକାଲି ସକାଳ ୧୦ ଟା ରୁ ଚଢ଼ାଉ ଆରମ୍ଭ କରି ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟ ପର୍ଯ୍ୟନ୍ତ ଟିଟିଲାଗଡ଼ ପୁଲିସ ଓ ବଲାଙ୍ଗୀର ଜିଲ୍ଲା ରିଜର୍ଭ ପୁଲିସଙ୍କ ସହ ୨୨ ଜଣିଆ ଟିମ୍ ବ୍ୟବସାୟୀଙ୍କ ଅଫିସ୍, ଗୋଦାମ, ବିଭିନ୍ନ ପ୍ରତିଷ୍ଠାନ, ବାସଗୃହ ସହିତ କେସିଙ୍ଗାରେ ଥିବା ଗୋଦାମ ଆଦି ୬ ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଥିଲେ।
ଜଣେ ବ୍ୟବସାୟୀ ୪ଟି କମ୍ପାନୀ ଅଗ୍ରୱାଲ ଟ୍ରେଡିଂକୋ , ମନିଷା ଷ୍ଟିଲିନିଅମ୍, ଅମ୍ବିକା ଟ୍ରେଡିଂ , ଜି ଏସ ଆସୋସିଏସନ୍ ନାମରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଚଳାଉଥିବା ଜଣାଯାଇଛି। ଏହି ସବୁ ପ୍ରତିଷ୍ଠାନ ଗୋଟିଏ ସ୍ଥାନରୁ ଜଣଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ନେଇ ସନ୍ଦେହରେ ଜିଏସଟି ବିଭାଗ ଚଢ଼ାଉ କରିଥିବା ସୂଚନା ଦେଇଛନ୍ତି। ବିଭାଗୀୟ ଅଧିକାରୀମାନେ ବୁଧବାର ରାତିରେ ତାଙ୍କ ପ୍ରତିଷ୍ଠାନରେ ଲାଗିଥିବା ବୋର୍ଡଗୁଡ଼ିକ ଦେଖିଥିବା ବେଳେ ତାହା ସକାଳୁ କାଢ଼ି ଦେଇଥିବା ନେଇ ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ପାଇ ବିଭାଗୀୟ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଲୁହାଛଡ଼ ବୋଝେଇ ଟ୍ରକ( ଓଡି ୧୯ କେ ୩୪୨୫) ତାଙ୍କ ଗୋଦାମରେ ପହଞ୍ଚିଥିବା ବେଳେ ଟ୍ରକର ବିଲ୍ ଯାଞ୍ଚ କରି ବିଭାଗୀୟ ଅଧିକାରୀ ଜାଣିପାରିଥିଲା ଯେ ଟ୍ରକଟି ସେହି ଦିନ ଅର୍ଥାତ ମାର୍ଚ୍ଚ ୪ ତାରିଖରେ ପହଞ୍ଚି ଅନ୍ୟତ୍ର ବାହାର ରାଜ୍ୟକୁ ଯିବା ପାଇଁ ମାର୍ଚ୍ଚ ୪ ତାରିଖର ବିଲ୍ ମଧ୍ୟ ତିଆରି ହୋଇ ସାରିଛି। କିନ୍ତୁ ଯେଉଁଦିନ ଆସିଥିବା ଟ୍ରକ ସେହି ଦିନ ପୂର୍ବରୁ କେମିତି ବିଲ୍ ହୋଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରଶ୍ନକରି ଉତ୍ତର ପାଇ ପାରିନଥିଲେ। ଅଗ୍ରୱାଲ ଟ୍ରେଡିଂ କୋ ପାଇଁ ଭବାନୀପାଟଣା ଜି ଏସ ଟି ଡେପୁଟି କମିଶନର ତପନ କୁମାର ପାଢ଼ୀ , ମନିଷା ଷ୍ଟିଲିନିୟମ୍ ପାଇଁ ଜି.ଏସ.ଟି ଡେପୁଟି କମିଶନର ଫକୀର ମୋହନ ଶତପଥୀ, ଅମ୍ବିକା ଟ୍ରେଡିଂ ପାଇଁ ବଲାଙ୍ଗୀରର ରାଜ୍ୟକର ଅଧିକାରୀ ଆଶିଷ କୁମାର ସାହୁ , ଜି ଏସ ଆସୋସିଏସନ୍ ପାଇଁ ଭବାନୀପାଟଣାର ରାଜ୍ୟକର ଅଧିକାରୀ ନିଲାଦ୍ରିବିହାରୀ ଦାଢ଼ିଆଙ୍କ ସହ ନୂଆପଡ଼ାର ଡେପୁଟି କର ଆଦାୟକାରୀ ଅଧିକାରୀ ପ୍ରିୟବ୍ରତ ଗଡ଼ତିୟା, ଶରତ ସେଠୀ, ଭବାନୀ ପଟେଲ, କ୍ଷୀରୋଦ ମାଝୀ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।
କମ୍ପାନିଗୁଡ଼ିକ ପ୍ରକୃତରେ କେତେ ଜଣଙ୍କ ନାମରେ ଅଛି, କେତେ ଟଙ୍କା ବ୍ୟବସାୟ ହୋଇଛି, କେତେ ଟଙ୍କାର କର ଦେଇଛନ୍ତି, କେତେ ଟଙ୍କାର ଜିଏସଟି ଫାଙ୍କିଛନ୍ତି ସେ ସବୁର ତଦନ୍ତ କରାଯାଉଥିବା ଅଧିକାରୀ ସୂଚନା ଦେଇଥିଲେ। ତଦନ୍ତ ରିପୋର୍ଟ ଭବାନୀପାଟଣା ଯୁଗ୍ମ କମିଶନର ଦେବବ୍ରତ ବେହେରାଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ହେଲେ ବ୍ୟବସାୟୀ ଗଜାନନ ଅଗ୍ରୱାଲ ଏନେଇ ମୁହଁ ଖୋଲିନାହାନ୍ତି। ଠିକ୍ ସେହିପରି ଚଢ଼ାଉରେ ସାମିଲ ହୋଇଥିବା ଜିଏସଟି ବିଭାଗର ଅଧିକାରୀ ଗଣମାଧ୍ୟମ ଆଗରୁ ଖସିଯିବାକୁ ଉଦ୍ୟମ କରିବା ଘଟଣା ଚଢ଼ାଉ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଲାଙ୍ଗୀର ଜିଲ୍ଲାରେ ଜିଏସଟି ଠକେଇ ଓ ଜିଏସଟି ଫାଙ୍କିବା ମାମଲା ବୃଦ୍ଧି ପାଉଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ନ ରଖିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିଷ୍ଠାନର ମାଲିକ ଓ ଅଧିକାରୀମାନଙ୍କ ଭିତରେ ଭିତିରି ବୁଝାମଣା ହୋଇଥିବା ନେଇ ସହରର ବୁଦ୍ଧଜୀବୀମହଲରେ ଆଲୋଚନା ହେଉଛି।
The post ଏକକାଳୀନ ବ୍ୟବସାୟୀଙ୍କ ୬ଟି ସ୍ଥାନରେ ଜିଏସଟି ବିଭାଗର ଚଢ଼ାଉ first appeared on Sambad.
from ଜିଲ୍ଲା – Sambad https://ift.tt/3kMbTIV
0 Comments