ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏଲଏଣ୍ଡଟି ଠିକା ସଂସ୍ଥା ଦ୍ୱାରା ଗ୍ରାମମାନଙ୍କୁ ପାଣି ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମିତ ହେଉଛି। ଏହି ଓଭର ହେଡ ଟ୍ୟାଙ୍କ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ସମ୍ପୃକ୍ତ ଠିକା ସଂସ୍ଥା ଧ୍ୟାନ ଦେଉନଥିବାରୁ ଶ୍ରମିକମାନେ ବିନା ସେଫଟି ବେଲ୍ଟ ଓ ବିନା ହେଲମେଟରେ ଶହେ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ପାଣି ଟାଙ୍କିକୁ ଚଢ଼ି ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ନଜରକୁ ଆସିଛି।


ବର୍ତ୍ତମାନ ଖଡ଼ିଆଳ ବ୍ଲକ ବାଦୀ ପଞ୍ଚାୟତର ପଦ୍ମପୁର ଗ୍ରାମର ୩୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ନିର୍ମାଣ ହେଉଥିବା ଓଭର ହେଡ ଟ୍ୟାଙ୍କରେ ବିନା ହେଲମେଟ ଓ ସେଫଟି ବେଲ୍ଟରେ ଜୀବନକୁ ମରଣ ମୁହଁରେ ରଖି ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି। ହେଲେ ଏହି ଜାତୀୟ ରାଜପଥରେ ଦୈନନ୍ଦିନ ପ୍ରଶାସନିକ ଅଧିକାରୀମାନେ ଯିବା ଆସିବା କରୁଛନ୍ତି, କିନ୍ତୁ ଏହି ବିପଦପୂର୍ଣ୍ଣ ଓଭର ହେଡ ଟ୍ୟାଙ୍କ କାର୍ଯ୍ୟ ପ୍ରତି ଧ୍ୟାନ ଦେଉନ ଥିବାରୁ ବିନା ହେଲମେଟ ଓ ସେଫଟି ବେଲ୍ଟରେ ସମ୍ପୃକ୍ତ ଠିକାଦାର ଶ୍ରମିକମାନଙ୍କ ଜୀବନକୁ ବିପଦ ସାମନାରେ ରଖି ବେପରୁଆ ଭାବରେ କାର୍ଯ୍ୟ କରି ଚାଲିଛନ୍ତି। ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ପୂର୍ବରୁ ବାରମ୍ବାର ଅବଗତ କଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦେଉନ ଥିବାରୁ ପେଟ ପୋଷିବା ପାଇଁ ନିକଟସ୍ଥ ଅଣକୁଶଳୀ ଶ୍ରମିକମାନେ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କୌଣସି ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ଠିକା ସଂସ୍ଥା ଶ୍ରମିକଙ୍କୁ ଛାଡ଼ି ଚାଲିଯିବ, ହେଲେ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନଙ୍କ ପରିବାର ନିଜ ସମ୍ପର୍କୀୟଙ୍କୁ ହରାଇ ସବୁଦିନ ପାଇଁ ସମସ୍ୟାରେ ରହିବ।

ଏନେଇ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ପଚାରିବାରୁ ଆମକୁ ଠିକାଦାର ସେଫଟି ବେଲ୍ଟ କିମ୍ବା ହେଲମେଟ ଦେଇ ନାହାନ୍ତି। ତେଣୁ ଜୀବନକୁ ବିପଦ ଆଗରେ ରଖି କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ। ଏନେଇ ଦାୟିତ୍ଵରେ ଥିବା ଖଡ଼ିଆଳ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ରୋବେର୍ଟ ପ୍ରଧାନଙ୍କୁ ପଚାରିବାରୁ ବିନା ସେଫଟି ବେଲ୍ଟ ଓ ବିନା ହେଲମେଟରେ କାମ କରିପାରିବେ ନାହିଁ, ହେଲେ ସମ୍ପୃକ୍ତ ଠିକାଦାରଙ୍କୁ ସେଫଟି ବେଲ୍ଟ ଓ ହେଲମେଟ ଯୋଗାଇ ଦେଉନ ଥିବାରୁ ଶ୍ରମିକମାନେ ଲଗାଉ ନଥିବା ପ୍ରକାଶ କରିଥିଲେ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଯେପରି ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

The post ବିନା ସେଫଟି ବେଲ୍ଟ ଓ ହେଲମେଟରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଶ୍ରମିକ first appeared on Sambad.



from ଜିଲ୍ଲା – Sambad https://ift.tt/3cryiaS