ଜଗତସିଂହପୁର : ବାଲିକୁଦା ଥାନା ଅନନ୍ତପୁର ଫାଣ୍ତି ଅଧୀନ ନୂଆଗାଁ ବଜାର ଦୋକାନ ଭିତରେ ଶୋଇଥିବା ଅବସ୍ଥାରେ ଜଣେ ଦୋକାନୀ ଆଶିଷ ପରିଡ଼ାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ୍‌ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଏହି ଘଟଣାରେ ବାଲିକୁଦା ପୋଲିସର ନିଷ୍କିୟତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଶିଷଙ୍କ ପରିବାରବର୍ଗ ଜଗତସିଂହପୁର ଏସ୍‌ପିଙ୍କ ଅଫିସ୍‌ ଆଗରେ ଧାରଣା ‌ଦେବା ସହ ଆତ୍ମାହୁତି ଚେତାବନୀ ଦେଇଛନ୍ତି। ଘଟଣାରୁ ପ୍ରକାଶ ଗତ ଫେବୃଆରୀ ୨୮ ତାରିଖରେ ଶୁକଦେବ ପରିଡ଼ାଙ୍କ ସାନ ଭାଇ ସୁରେନ୍ଦ୍ର ପରିଡ଼ାଙ୍କ ପୁଅ ମୁକେଶ ପରିଡ଼ା ଫୋନ୍ କରି ବଡ଼ ପୁଅ ଜ୍ୟୋତି ରଂଜନ ପରିଡ଼ାଙ୍କୁ ଗାଳି ଗୁଲଜ କରିଥିଲା।

ଫୋନ୍‌ରେ ଧମକ ଦେଇ ଗୁଳି କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଯାହାର କଲ୍‌ ରେକର୍ଡିଂ ପ୍ରମାଣ ସହ ଅନନ୍ତପୁର ଫାଣ୍ଡି ଓ ବାଲିକୁଦା ଥାନାରେ ଅଭିଯୋଗପତ୍ର ଦିଆଯାଇଥିଲା। ଏହାପରେ ରାତିରେ ଶୁକଦେବ ପରିଡ଼ାଙ୍କ ସାନ ପୁଅ ଆଶିଷ ପରିଡ଼ା ଦୋକାନ ଘରେ ଶୋଇଥିବା ସମୟରେ ନିଆଁ ଲଗାଯାଇଥିଲା। ରାତି ପ୍ରାୟ ୩ଟା ବେଳେ ସୌଭାଗ୍ୟକ୍ରମେ ବଜାରର ଜଣେ ମିଠା ଦୋକାନୀ ସନ୍ତୋଷ ପରିଡ଼ା ପରିସ୍ରା କରିବାକୁ ଉଠିଥିବା ବେଳେ ନିଆଁ ଜଳୁଥିବା ଦେଖି ପାଟି କରିଥିଲେ। ନିଆଁ ଲିଭାଯାଇ ଆଶିଷଙ୍କୁ ଉଦ୍ଧାର କରାଯାଇଥିଲା।

Sambad

ଏଭଳି ସ୍ପର୍ଶକାତର ତଥା ଜଘନ୍ୟ କାଣ୍ଡ ପରେ ସୁଦ୍ଧା ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ବାଲିକୁଦା ପୁଲିସ୍‌ କେସ୍‌ ନଂ ୫୫/୨୦୨୧ ଏକ ମାମଲା ରୁଜୁ କରିଥିଲେ ହେଁ ଅଭିଯୁକ୍ତମାନଙ୍କୁ ଖୋଲାମେଲାରେ ଛାଡ଼ି ଦେଇଥିଲା। ଆଇଓ ନିତ୍ୟାନନ୍ଦ ସ୍ବାଇଁ ଘଟଣାର ତଦନ୍ତ କରୁଥିଲେ ହେଁ ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ତିନି ଦିନ ଭିତରେ ନ୍ୟାୟ ନମିଳିଲେ ସୁକଦେବ ପରିଡ଼ା, ପତ୍ନୀ ନଳୀନୀ ପରିଡ଼ା, ବଡ଼ ପୁଅ ଜ୍ୟୋତି ରଂଜନ ପରିଡ଼ା, ବୋହୂ ପ୍ରଜ୍ଞା ପରିଡ଼ା, ଝିଅ ପ୍ରତ୍ୟାଷା ପରିଡ଼ା, ସାନ ପୁଅ ଆଶିଷ ପରିଡ଼ା ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଡିଆଇବି ଡିଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବାଲିକୁଦା ଥାନା ଅଧିକାରୀ ସବେର୍ଶ୍ବର ବେହେରା ଏବଂ ଆଇଓ ନିତ୍ୟାନନ୍ଦ ସ୍ବାଇଁଙ୍କୁ ତିନି ଦିନ ଭିତରେ ଅନୁସନ୍ଧାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏସ୍‌ଡିପିଓ ପ୍ରିୟ ରଂଜନ ଶତପଥୀ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

The post ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣା; ୩ ଦିନ ଭିତରେ ନ୍ୟାୟ ନମିଳିଲେ ପରିବାର ଦେବେ ଆତ୍ମାହୁତି first appeared on Sambad.

from ଜିଲ୍ଲା | Sambad https://ift.tt/3suzUHH