କଟକ : ଆଉ ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ ପଇଠ ପାଇଁ ଅଯଥା ନୋଟିସ୍ ଜାରି କରାଯିବ ନାହିଁ। ହାଇକୋର୍ଟଙ୍କ ମାର୍ଚ୍ଚ ୩୧ର ନିର୍ଦ୍ଦେଶ ପାଳନ କରି ଓଡ଼ିଶା ଜିଏସ୍‌ଟି କମିସନରେଟର ସମସ୍ତ ଅଧିକାରୀଙ୍କୁ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଇନଜୀବୀମାନଙ୍କୁ ସର୍ଭିସ୍ ଟ୍ୟାକ୍ସ/ଜିଏସ୍‌ଟିରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ଏଥିପାଇଁ ଆଉ ନୋଟିସ୍ ଜାରି କରାଯିବ ନାହିଁ। ଏ ନେଇ ହାଇକୋର୍ଟରେ ଭୁବନେଶ୍ବର ଜିଏସ୍‌ଟି ଆଣ୍ଡ୍‌ ସେଣ୍ଟ୍ରାଲ ଏକ୍ସାଇଜ୍‌ କମିସନରେଟ୍‌ର ପ୍ରମୁଖ କମିସନର ବି.କେ. କର ସତ୍ୟପାଠ ଦାଖଲ କରିଛନ୍ତି।

ସତ୍ୟପାଠରେ ଦର୍ଶାଯାଇଛି ଯେ, ଓଡ଼ିଶା ରାଜ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ଦୁଇଟି ଜିଏସ୍‌ଟି କମିସନରେଟ୍ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଦୁଇ କମିସନରେଟ୍‌ର ସବୁ ଡିଭିଜନର ସମସ୍ତ ଆସିଷ୍ଟାଣ୍ଟ କମିସନର, ଡେପୁଟି କମିସନରଙ୍କୁ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ସଂପର୍କିତ ନିର୍ଦ୍ଦେଶନାମାର କପି ସତ୍ୟପ‌ାଠ ସହିତ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏଥିସହିତ ଆବେଦନକାରୀ ଆଇନଜୀବୀ ଡି.ପି. ତ୍ରିପାଠୀଙ୍କ ପ୍ରସଂଗରେ ଜାରି କରାଯାଇଥିବା ନୋଟିସ୍ ଓ ଅନ୍ୟାନ୍ୟ ପ୍ରକ୍ରିୟା ବନ୍ଦ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟପାଠରେ ରହିଥବା ତଥ୍ୟକୁ ବିଚାରକୁ ନେଇ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଥିଲେ।

The post ଆଉ ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ ପାଇଁ ନୋଟିସ୍ ହେବନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3sJhMZF