
ବଲାଙ୍ଗୀର : କରୋନା ଆଗରେ ଘାଇଲା ବ୍ୟବସ୍ଥା। ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ୍ଲାଇନ୍ ଅନୁସାରେ ଶବଦାହ କରାଯିବା କଥା। ହେଲେ, ବଲାଙ୍ଗୀରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଶ୍ମଶାନରେ ଶବକୁ ଛାଡ଼ି ଡାକ୍ତରଖାନା କର୍ମଚାରୀ ଚାଲିଯାଇଥିଲେ। ଶେଷରେ ପରିବାର ଲୋକେ ହିଁ ଶେଷକୃତ୍ୟ କରିଥିଲେ। ଏହି ଘଟଣାକୁ ନେଇ ବଲାଙ୍ଗୀରରେ ଆଲୋଡ଼ନ ସୃଷ୍ଟି ହୋଇଛି।
ପ୍ରକାଶ ଯେ ସ୍ଥାନୀୟ ପ୍ରତାପସାଗରପଡ଼ା ନିବାସୀ ଦୟାନିଧି ମିଶ୍ର(୫୬ବର୍ଷ)ଙ୍କୁ କରୋନାର ଆଇସୋଲେସନ ୱାର୍ଡରେ ବୁଧବାର ଭର୍ତ୍ତି କରିଥିଲେ ପରିବାରବର୍ଗ। ରାତି ପ୍ରାୟ ୧୦ଟାରୁ ଅକ୍ସିଜେନ ଦିଆଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିଲା। ଭୋର୍ ୪ଟା ସମୟରେ ଡାକ୍ତରଖାନା କର୍ମଚାରୀ ପିପିଇ କିଟ୍ରେ ଶବକୁ ନେଇ ଆର୍ଟିଓ ଛକ ଶ୍ମଶାନରେ ଛାଡ଼ି ଦେଇଥିଲେ। ଶବ ସେଠାରେ ରଖିଦେଇ ସେମାନେ ଚାଲିଯାଇଥିଲେ।
ସ୍ୱର୍ଗତ ଦୟାନିଧିଙ୍କ ନିକଟ ସଂପର୍କୀୟ ଦତ୍ତାନନ୍ଦ ପଣ୍ଡା କହିଛନ୍ତି, ଶବ ସତ୍କାର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନଥିଲା। ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ସେ ଜନପ୍ରତିନିଧିଙ୍କଠାରୁ ନେଇ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ ପ୍ରଶାସନ ନିରବ ହୋଇ ବସିଲା। ପୌର ଅଧିକାରୀ କେହି ତାଙ୍କୁ ଜଣାଇନଥିବା କହିଥିବା ବେଳେ ଜିଲ୍ଲାପାଳ ବି ନିରବ ରହିଥିଲେ। ଏଣୁ ବାଧ୍ୟ ହୋଇ ପରିବାର ସଦସ୍ୟ କୋଭିଡ ଗାଇଡ୍ଲାଇନ୍ ଅନୁସାରେ ଯାହା ନିୟମକୁ ମାନି ଶବ ସତ୍କାର କରିଥିବା ସେ କହିଛନ୍ତି।
କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବ ସତ୍କାର ଦିଗରେ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ଉଠିଛି।
The post ଶବକୁ ଶ୍ମଶାନରେ ଛାଡ଼ି ଛୁ’, ପରିବାରବର୍ଗ କଲେ ସତ୍କାର first appeared on Sambad.from ଜିଲ୍ଲା | Sambad https://ift.tt/2QqYVW7
0 Comments