
କଟକ : ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ଏଡିଟର ରବିଶଙ୍କର ପଟ୍ଟନାୟକଙ୍କର ଆଜି ଭୁବନେଶ୍ବରସ୍ଥିତ ଉତ୍କଳ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିଲା। ଚିକିତ୍ସା ପାଇଁ ପରିବାର ପକ୍ଷରୁ ତାଙ୍କୁ ଉତ୍କଳ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ସକାଳ ୯ଟା ୨୩ ମିନିଟ୍ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ନନ୍ଦିତା ପଟ୍ଟନାୟକ, ସାନପୁଅ ଅ˚ଶୁମାନ ପଟ୍ଟନାୟକ, ସାନବୋହୂ ସୁରଭି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୋଭିଡ କଟକଣା ଅନୁଯାୟୀ ସତ୍ୟନଗରସ୍ଥିତ ଶ୍ମଶାନଠାରେ ତାଙ୍କର ଅନ୍ତିମ ସ˚ସ୍କାର କରାଯାଇଥିଲା। ପୁଅ ଅ˚ଶୁମାନ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ବଡ଼ପୁଅ ଅଭିଷେକ ପଟ୍ଟନାୟକ ଓ ବୋହୂ ପ୍ରଜ୍ଞା ପଟ୍ଟନାୟକ ରାଜ୍ୟ ବାହାରେ ରହୁଥିବାରୁ ଆସି ପାରିନଥିଲେ।
କଟକ ସିଡିଏ ସେକ୍ଟର-୯ର ବାସିନ୍ଦା ସ୍ବର୍ଗତ ପଟ୍ଟନାୟକଙ୍କ ପୁରୀ ଜିଲ୍ଲା ଦତ୍ତପଡ଼ାଠାରେ ୧୯୪୮ ମସିହା ଡିସେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଏସ୍ସିଏସ୍ କଲେଜରେ ଉଚ୍ଚଶିକ୍ଷା ଶେଷ କରିବା ପରେ ପୁନେ ସ୍ଥିତ ଫିଲ୍ମ ଆଣ୍ତ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟରେ ବୃତ୍ତିଗତ ଶିକ୍ଷା ଶେଷ କରି ସିନେମା ଏଡିଟି˚ରେ କାମ କରିଥିଲେ। ୧୨୦ରୁ ଅଧିକ ସିନେମାରେ ଏଡିଟି˚ କରି ସେ ଉଚ୍ଚ ପ୍ରଶ˚ସିତ ହୋଇଥିଲେ। ତାଙ୍କର କେତେକ ପ୍ରମୁଖ ସିନେମା ଗୁଡ଼ିକ ମଧ୍ୟରେ ରହିଛି ସୁନା ଚଢେଇ, ଅନ୍ଧ ଦିଗନ୍ତ, ଶେଷ ଶ୍ରାବଣ, ମାନିନୀ, ଶଙ୍ଖା ସିନ୍ଦୁର, ପୁଅ ମୋର ଜଗତଜିତା, ଅଭିମାନ, ଆରତୀ, ମହାସତୀ ସାବିତ୍ରୀ, ଦଣ୍ତା ବାଳୁଙ୍ଗା, ଶୀତ ରାତି, ବଧୂ ନିରୁପମା, ସ୍କୁଲ ମାଷ୍ଟର, କଥାନ୍ତର, ଯାହାକୁ ରଖିବେ ଅନନ୍ତ, ହିନ୍ଦି ସିନେମା ଚଲ୍ତେ ଚଲ୍ତେ, ଆପ୍କି ଖାତିର, ଦିଲ୍ସେ ମିଲେ ଦିଲ୍, କିସ୍ମତ, ଜିନା ଇସ୍କା ନାମ୍ ହେ ଭଳି ଚଳଚ୍ଚିତ୍ର । ମାତ୍ର ୨୩ ବର୍ଷ ବୟସରେ ‘୨୭ ଡାଉନ’ ବଲିଉଡ ସିନେମା ଏଡିଟି˚ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ସେ ବହୁ ସମ୍ମାନ ପାଇଛନ୍ତି। ୨୦୧୭ ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବର୍ଗତ ପଟ୍ଟନାୟକଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।
The post ଖ୍ୟାତନାମା ଫିଲ୍ମ ଏଡିଟର ରବିଶଙ୍କରଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3ncGT5U
0 Comments