
ଯାଜପୁର/ଧର୍ମଶାଳା : ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କ ଉପରେ ପଥରମାଫିଆଙ୍କ ବୋମାମାଡ଼ ଘଟଣାକୁ ଲୋକାୟୁକ୍ତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଗୃହ ସଚିବ, ପୁଲିସ ଡିଜି, ଯାଜପୁର ଏସ୍ପି ଓ ଧର୍ମଶାଳା ଥାନାଧିକାରୀଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମାସ ୨୭ ତାରିଖ ସଂଧ୍ୟାରେ ଶ୍ରୀ ବେହୁରା ନିଜ କାର୍ରେ ଫେରୁଥିବା ବେଳେ ଧର୍ମଶାଳା ଥାନା ଅନ୍ତର୍ଗତ ଇମାମ୍ନଗର ନିକଟରେ ପଥର ମାଫିଆମାନେ ଯୋଜନାବଦ୍ଧ ଭାବେ ବୋମାମାଡ଼ କରି ହତ୍ୟା ଉଦ୍ୟମ କରଥିଲେ। ଶ୍ରୀ ବେହୁରା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଆହତ ହୋଇଥିଲେ। ବିଭିନ୍ନ ଦୁର୍ନୀତି ଓ ଲଘୁ ଖଣିଜ ସମ୍ପଦ ଲୁଟ୍ ପ୍ରତିବାଦରେ ଶ୍ରୀ ବେହୁରା ଜନସ୍ବାର୍ଥ ମାମଲା ସହିତ ଲୋକାୟୁକ୍ତରେ ଏକାଧିକ ମାମଲା କରିବା ଫଳରେ ପଥର ମାଫିଆ ତାଙ୍କୁ ହତ୍ୟା କରିବାକୁ ଷଡ଼୍ଯନ୍ତ୍ର କରିଥିଲେ। ଏହାକୁ ଭିତ୍ତିକରି ରାଜ୍ୟ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗତ ୬ ତାରିଖରେ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକାୟୁକ୍ତ ଗତ ୧୨ ତାରିଖରେ ଏହାର ବିଚାର କରି ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ଯାଜପୁର ଏସ୍ପି ଓ ଧର୍ମଶାଳା ଥାନାଧିକାରୀଙ୍କୁ ନୋଟିସ୍ କରିଥିଲେ। ଏହା ଉପରେ ୩ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉକି ଏହି ଘଟଣାରେ ୩ ଜଣ ଗିରଫ ହୋଇଥିବାବେଳେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରବି ଦାସକୁ ପୁଲିସ ଆଜି ପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ଏପରିକି ଅନ୍ୟ ସହଯୋଗୀମାନେ ଧରାପଡ଼ିନାହାନ୍ତି। ଫେରାର ଅଭିଯୁକ୍ତ ରବି ଜଣେ ଖାଦାନ ମାଲିକଙ୍କ ଗୁମାସ୍ତା ହୋଇ ସମସ୍ତ ଚୋରା କାରବାରକୁ ନିୟନ୍ତ୍ରଣ କରୁଥିଲା। ପୁଲିସ କାହା ଚାପରେ ତାଙ୍କୁ ତଦନ୍ତ ପରିସରକୁ ଆଣୁନାହିଁ ବୋଲି ପ୍ରଶ୍ନ ଉଠିଛି।
The post ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା: ଗୃହ ସଚିବ, ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ first appeared on Sambad.from ଜିଲ୍ଲା | Sambad https://ift.tt/3afbSJt
0 Comments