
ଜାନୁଆରିରୁ ଆଜି ସୁଦ୍ଧା ୩୧୦୭ ଗ୍ରାମ୍ ଜବତ
ଗିରଫ ହେଲେଣି ୨୩ ନିଶା ବେପାରୀ
ଭଦ୍ରକ/ରାଣୀତାଲ : ଭଦ୍ରକ ରାଣୀତାଲ ବଜାରରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗତକାଲି ବ୍ରାଉନ୍ସୁଗାର୍ ଚାଲାଣବେଳେ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ ଶହ ଗ୍ରାମ୍ ବ୍ରାଉନ୍ସୁଗାର୍ ଜବତ କରିଛି।
ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ରାଣୀତାଲ ବଜାରଠାରେ ଜଗି ରହିଥିଲେ। ଅପରାହ୍ଣ ୨ଟା ବେଳେ ଏକ ନମ୍ବର ବିହୀନ ବାଇକ୍ରେ ତିନିଜଣ ଯୁବକ ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ବ୍ରାଉନ୍ସୁଗାର୍ ନେଇ ଭଦ୍ରକ ଆସିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ପୁଲିସ ସେମାନଙ୍କୁ କାବୁ କରି ନେଇଥିଲେ। ହେଲେ ମୁଖ୍ୟ ଅଭିଯୁକ୍ତ ପୁଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା। ସେମାନଙ୍କଠାରୁ ୩ ଶହ ଗ୍ରାମ୍ ବ୍ରାଉନ୍ସୁଗାର୍ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ସାର୍ଥକ ରାୟ, ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା ଉପସ୍ଥିତ ଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଂଶଡ଼ା ଥାନା ମଣିପୁର ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ ନନ୍ଦ ଓରଫ ଶ୍ରୀକାନ୍ତ(୪୦) ଏବଂ ତିହିଡ଼ି ଥାନା ପାଳିଆ ଗ୍ରାମର ପ୍ରଭାକର ମଲ୍ଲିକଙ୍କ ପୁଅ କଣ୍ତୁରୀ ଓରଫ ସଂଜୟ(୨୫)। ଫେରାର ମୁଖ୍ୟ ଅଭିଯୁକ୍ତ ଜଡ଼ା ଓରଫ ତପନ ମଲ୍ଲିକ ବଉଳପୋଖରୀ ଗ୍ରାମର ବୋଲି ଜଣାପଡ଼ିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁସାରେ ଗତ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୩ ଜଣ ବ୍ରାଉନ୍ସୁଗାର୍ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ୩୧୦୭ ଗ୍ରାମ୍ ବ୍ରାଉନ୍ସୁଗାର୍ ଜବତ ହୋଇଛି।
The post ୩୧ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର୍ ଜବତ, ୨ ଗିରଫ, ଖସିଗଲା ମୁଖ୍ୟ ଅଭିଯୁକ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3dGUxvf
0 Comments