
ନନ୍ଦପୁର : ନନ୍ଦପୁର ବ୍ଲକ ସଦର ଗ୍ରାମ ପଂଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ଜଣେ ବି ୱାର୍ଡ ସଭ୍ୟ,ସଭ୍ୟା ଉପସ୍ଥିତ ନ ହେବାରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇଥିବା ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ ଯେ ନନ୍ଦପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଂଚାୟତର ସରପଞ୍ଚ ବାସୁଦେବ ଖରାଙ୍କ ବିଭିନ୍ନ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ୧୮ ଜଣ ୱାର୍ଡ ସଭ୍ୟ,ସଭ୍ୟାଙ୍କ ମଧ୍ୟରୁ ୯ ଜଣ କୋରାପୁଟ ଠାରେ ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ବିଭିନ୍ନ ପ୍ରକ୍ରିୟା ସମାପ୍ତ ପରେ କୋରାପୁଟ ଉପଜିଲ୍ଲାପାଳ ତାଙ୍କ ପତ୍ର ସଂଖ୍ୟା ୬୯୪/୨୦୨୧ ତା ୦୭/୦୪/୨୦୨୧ ପ୍ରକାରେ ଆଜି ତା ୨୭/୦୪/୨୦୨୧ ରିଖ ଦିନ ନନ୍ଦପୁର ପଞ୍ଚାୟତ ସରପଞ୍ଚ ବାସୁଦେବ ଖରାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଭୋଟ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ କରି ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ପଞ୍ଚାୟତ କାର୍ଯ୍ୟଳୟରେ ଉପସ୍ଥିତ ହୋଇ ପଞ୍ଚାୟତ ନିୟମ ୧୯୬୪ ଆକ୍ଟ ଧାରା ୨୪/୧ ପ୍ରକାରେ ଭୋଟ ଗ୍ରହଣରେ ଭାଗ ନେବାକୁ ନୋଟିସ ଜାରି କରିଥିଲେ। ନୋଟିସ ଜାରି ହେବା ପରେ ଆଜି ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବ ନିମନ୍ତେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ( ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ) ଅନୁଷ୍ଠିତ ହୋଇଥିଲା ।
ଆଜି ସ୍ଥାନୀୟ ତହସିଲଦାର ନରସିଂହ ଗାଦବାଙ୍କୁ ନିର୍ବାଚନ ଅଧିକାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ, ବିଡ଼ିଓ କୈଳାସ ଚନ୍ଦ୍ର ଶିଆଳ ଏକ୍ସକ୍ୟୁଟିଭ ଅଫିସର ଭାବେ ସବ୍ ଡିଭିଜନ ପଞ୍ଚାୟତ ଅଧିକାରୀ ଏସ ଭି ଏସ ଶର୍ମା, ପଞ୍ଚାନନ ମହାନ୍ତି, ନନ୍ଦପୁର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବେଦାନ୍ତ ମାଝି, ପିଇଓ ଡମ୍ବୁରଧର ପାଙ୍ଗି, ନନ୍ଦପୁର ଥାନାଧିକାରୀ କପିଳେଶ୍ୱର ବେହେରା ଓ ପୋଲିସ ବାହିନୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଦିନ ୧୧.୩୦ ରୁ ୧୨.୩୦ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ୧୮ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ମଧ୍ୟରୁ କୌଣସି ଜଣେ ବି ୱାର୍ଡ ସଭ୍ୟ ସଭ୍ୟା ନ ଆସିବାରୁ ଉପସ୍ଥିତ ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ନରସିଂହ ଗାଦବା ଅନାସ୍ଥା ପ୍ରସ୍ତାବ କାଟ ଖାଇଲା ବୋଲି ସୂଚନା ଦେଇଥିଲେ । ଅନାସ୍ଥା ପ୍ରସ୍ତାବ କାଟ ଖାଇ ଥିଲେ ମଧ୍ୟ ସରପଞ୍ଚ ବାସୁଦେବ ଖରା ଆଗୁଆ ମାନ୍ୟବର ହାଇକୋର୍ଟଙ୍କ ଠାରୁ ରହିତାଦେଶ ଆଣିଥିବା ବେଳେ ମାନ୍ୟବର ହାଇକୋର୍ଟ ଅନାସ୍ଥା ପ୍ରସ୍ତାବ ଅବସରରେ ଭୋଟ ହେବ କିନ୍ତୁ ଫଳାଫଳ ଘୋଷଣା କରାଯାଇ ପାରିବ ନାହିଁ ବୋଲି ଆଦେଶ ଦେଇଥିଲେ ।
The post ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା କାଟ ଖାଇଲା first appeared on Sambad.from ଜିଲ୍ଲା | Sambad https://ift.tt/3dW3v80
0 Comments