ମାଲକାନଗିରି: ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜିରାଗୁଡ଼ମ ଠାରେ ପୁଲିସ ଆରମ୍ଭ କରିଥିବା ସମାଧାନ-ପ୍ରହାର ଅଭିଯାନକୁ ଜବାବ ଦେଇଛି ପିଏଲଜିଏ। ବିଜାପୁର ହମଲା ପରେ ଏମିତି ପ୍ରତିକ୍ରିୟା ରଖିଛି ନକ୍ସଲ ସଂଗଠନ। ଆଜି ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ପ୍ରବକ୍ତା ବିକଳ୍ପ ପ୍ରେସ୍‌ ବିଜ୍ଞପ୍ତିରେ ଏ ନେଇ ଉଲ୍ଲେଖ କରିଛନ୍ତି।

ବିକଳ୍ପଙ୍କ କହିବା ହେଲା, ୨୦୨୦ ଅଗଷ୍ଟ ମାସରେ ଦିଲ୍ଲୀରେ ହୋଇଥିବା ବୈଠକରେ ଏହି ଆକ୍ରମଣର ଯୋଜନା କରାଯାଇଥିଲା। ଏଥିରେ ବସ୍ତର ଆଇଜି ପି. ସୁନ୍ଦରରାଜଙ୍କୁ ପ୍ରଭାରୀ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସେହିପରି ବିଶେଷ ଅଧିକାରୀ ଭାବେ ଡିଜିପି ଅଶୋକ ଜୁନେଜାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଗତବର୍ଷ ନଭେମ୍ବର ମାସରୁ ଏହି ଅଭିଯାନରେ ୧୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଛି। ଏଥିସହ ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଜେଲ୍‌ରେ ବନ୍ଦୀ କରାଯାଇଛି ବୋଲି ବିକଳ୍ପ ଅଭିଯୋଗ କରିଛନ୍ତି। ନକ୍ସଲ ବିକାଶ ବିରୋଧୀ ବୋଲି ଅପପ୍ରଚାର କରାଯାଉଛି ବୋଲି କହିଛନ୍ତି।

ଗତ ୩ ତାରିଖ ଦିନ ୨ ହଜାର ପୁଲିସ ଜିରାଗୁଡ଼ମ ଗ୍ରାମରେ ହମଲା କରିବା ପାଇଁ ଆସିଥିଲେ। ଯାହାର ଜବାବ ପିଏଲଜିଏ ଦେଇଛି। ୨୪ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି ବିକଳ୍ପ। ସେହିପରି ୪ଜଣ କ୍ୟାଡର ନକ୍ସଲ ମଧ୍ୟ ସହିଦ ହୋଇଥିବା ସୂଚନା ଦେଇଛନ୍ତି। ସେମାନେ ହେଲେ କମ୍ରେଡ ଅଡ଼ି ସୋନି, କମ୍ରେଡ ପଦାମ ଲାଖମା, କମ୍ରେଡ କାବାସି ବଦରୁ ଏବଂ କମ୍ରେଡ ନୁପା ସୁରେଶ। କମ୍ରେଡ ସୋନିଙ୍କ ଶବକୁ ଆମେ ନେଇପାରିଲୁ ନାହିଁ। ଅନ୍ୟ ତିନି ଜଣଙ୍କ ଶବକୁ କ୍ରାନ୍ତିକାରୀ ରୀତିନୀତିରେ ଶେଷକୃତ୍ୟ କରାଯାଇଛି। ପୁଲିସ ଆମର ଶତ୍ରୁ ନୁହଁ, ଶାସକ ବର୍ଗଙ୍କ ପାଇଁ ଏମାନେ ବଳିଦାନ ଦେଉଛନ୍ତି। ଏଥିପାଇଁ ଆମେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ବୋଲି କହିଛନ୍ତି। ଏହି ଯୁଦ୍ଧରେ ୧୪ଟି ଅସ୍ତ୍ରଶସ୍ତ୍ର ଲୁଟ୍‌ କରିବା ସହ ୨ ହଜାରରୁ ଊର୍ଦ୍ଧ୍ବ ଗୁଳି ଜବତ କରିଥିବା ସ୍ପଷ୍ଟ କରିଛନ୍ତି।

ସେହିପରି ସରକାରଙ୍କ ସହ ଆଲୋଚନା ପାଇଁ ବି ସଂଗଠନ ଆଗ୍ରହ ପ୍ରକାଶ କରିଛି। ତେବେ ସରକାର ସଚ୍ଚୋଟ ହୋଇ କଥାବାର୍ତ୍ତା କଲେ ଆମେ ମଧ୍ୟ କଥା ହେବୁ। କଥାବାର୍ତ୍ତା ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସରକାର ପ୍ରସ୍ତୁତ କରନ୍ତୁ। ସରକାର ଏହା ନ କରି ହମଲା କରିବା, କ୍ୟାମ୍ପ ପ୍ରତିଷ୍ଠା ଭଳି ଭୁଲ କାମ କରୁଛି। ଏତେ ସଂଖ୍ୟକ ପୁଲିସ ମୃତ୍ୟୁବରଣ କରିବା ପଛରେ ସରକାର ଦାୟୀ। ତେବେ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ଘୋଷଣା କରିବାକୁ ଆହ୍ବାନ ଦିଆଯାଇଛି। ଏହାପରେ ବନ୍ଦୀ ଯବାନଙ୍କୁ ମୁକ୍ତ କରିଦେବୁ ବୋଲି ବିକଳ୍ପ କହିଛନ୍ତି।

ଅନ୍ୟପକ୍ଷରେ ନକ୍ସଲଙ୍କ ବନ୍ଦୀ ଭାବେ ରହିଥିବା ଯବାନ ରାକେଶ୍ବର ସିଂ ମନହାସଙ୍କ ମୁକ୍ତି ପାଇଁ ବିଭିନ୍ନ ମହଲରେ ନିବେଦନ କରାଯାଇଛି। ଛତିଶଗଡ଼ର ଜେଲବନ୍ଦୀ ମୁକ୍ତ ସମିତି ପକ୍ଷରୁ ନକ୍ସଲଙ୍କୁ ସାକ୍ଷାତ କରି ଯବାନଙ୍କୁ ଛାଡ଼ି ଦେବା ପାଇଁ ଅନୁରୋଧ କରାଯିବ ବୋଲି ସମିତି କହିଛି। ଆସନ୍ତା ୭ ତାରିଖ ଦିନ ସମିତିର ଗୋଟିଏ ଟିମ୍ ନକ୍ସଲଙ୍କ ପାଖକୁ ଯିବ। ସମିତି ସଦସ୍ୟ ସୁଜିତ କର୍ମା ଏବଂ ସୋନି ସୋରି ଏହା ପ୍ରକାଶ କରାଯାଇଛି। ସମିତି କହିଛି ଶନିବାର ଦିନ ଯାହା ଘଟିଲା ସାରା ଭାରତକୁ ସ୍ତବ୍ଧ କରିଦେଇଛି। ସମିତି ସବୁବେଳେ ହିଂସାକୁ ବିରୋଧ କରିଛି। ସମିତି କେବେ ମଧ୍ୟ କଳା ଓ ସବୁଜ ରଂଗକୁ ସମର୍ଥନ କରିନାହିଁ କିମ୍ବା ବିରୋଧ ମଧ୍ୟ କରିନାହିଁ। ଜୀବନ ଦୁଇ ପଟରୁ ଯାଇଛି। ତେଣୁ ନକ୍ସଲଙ୍କୁ ସାକ୍ଷାତ କରି ମାନବିକତା ଦୃଷ୍ଟିରୁ ଯବାନଙ୍କୁ ମୁକ୍ତ କରିବାକୁ ନିବେଦନ କରାଯିବ ବୋଲି କୁହାଯାଇଛି।

The post ବିଜାପୁର ନକ୍ସଲ ଆକ୍ରମଣ ଘଟଣା: ଆଲୋଚନା ପାଇଁ ନକ୍ସଲ ପ୍ରସ୍ତୁତ, ପ୍ରେସ୍‌ ବିଜ୍ଞପ୍ତି ଜାରି କଲା ନକ୍ସଲ ସଂଗଠନ first appeared on Sambad.

from ଜିଲ୍ଲା | Sambad https://ift.tt/3mqXJ0P