କେନ୍ଦୁଝର : କରୋନାକୁ ହରାଇଲେ ୯୫ ବର୍ଷୀୟ ସୁଶୀଳା ବାଳା ପହି। ଦୀର୍ଘ ୧୫ ଦିନ କାଳ କରୋନା ସହିତ ଲଢ଼େଇ କରି ସେ ସୁସ୍ଥ ହୋଇପାରିଛନ୍ତି। କେନ୍ଦୁଝର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ଠାକୁରପାଟଣା ନିବାସୀ ସୁଶୀଳାବାଳା ପହି ଜ୍ବରରେ ଆକ୍ରାନ୍ତ ହେବା ପରେ ଗତ ୨୫ ତାରିଖରେ ତାଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା। ଟେଷ୍ଟରୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସିଡିଏମଓ ଡାକ୍ତର ଅଶୋକ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସିତ କରୁଥିଲେ। ଚିକିତ୍ସା ପରେ ଏବେ ସୁସ୍ଥ ହୋଇଛନ୍ତି।

୯୫ ବର୍ଷ ବୟସରେ ସୁଶୀଳାବାଳା ପହି ସୁସ୍ଥ ହେବା ପରେ ଏହା କରୋନାକୁ ନେଇ ଆତଙ୍କିତ ହେଉଥିବା ଯୁବ ଗୋଷ୍ଠୀଙ୍କୁ ଏକ ବାର୍ତ୍ତା ଦେଇଛି। କରେନା ଆକ୍ରାନ୍ତ ହେଲେ ଦୃଢ଼ ମନୋବଳ ରଖି ଚିକିତ୍ସିତ ହେବାକୁ ସୁଶୀଳା ବାଳା ପହି ପରାମର୍ଶ ଦେଇଛନ୍ତି। ୧୯୯୭ରୁ ୨୦୦୨ ମସିହା ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ଜିଲ୍ଲା ପରିଷଦରେ ସୁଶୀଳା ବାଳା ପହି ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ହାର୍ଟ ସମସ୍ୟା କାରଣରୁ ଦୀର୍ଘଦିନ ମଧ୍ୟ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ।

ସିଡିଏମଓ ଡାକ୍ତର ଦାସଙ୍କ ସୂଚନା ଅନୁଯାୟୀ, ସୁଶୀଳାଙ୍କ ଅବସ୍ଥା ଭଲ ନଥିଲା। ତାଙ୍କ ରକ୍ତଚାପ ବାରମ୍ବାର ଫ୍ଲକଚୁଏଟ୍ କରୁଥିଲା। ନିଶ୍ବାସପ୍ରଶ୍ବାସରେ ସେମିତି କିଛି ଅସୁବିଧା ନଥିଲା। ହୃଦରୋଗରେ ପୂର୍ବରୁ ଆକ୍ରାନ୍ତ ହୋଇ ଭଲ ହୋଇଥିବାରୁ ବିପଦ ଥିଲା। ରକ୍ତଚାପକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଢେର ସମୟ ଲାଗିଥିଲା। ତେବେ ଯାହା ହେଉ ପ୍ରତ୍ୟେକ ଦିନ ରାପିଡ ରେସପନ୍ସ ଟିମ୍ ତାଙ୍କ ନିକଟକୁ ଯାଇ ତାଙ୍କର ଚିକିତ୍ସା କରୁଥିଲେ। ରୋଗୀଙ୍କ ମାନସିକ ଦୃଢ଼ତା ଓ ମନୋବଳ ଯୋଗୁଁ ସେ ମହାମାରୀରୁ ରକ୍ଷା ପାଇଯାଇଥିବା ଡାକ୍ତର ଦାସ କହିଛନ୍ତି।

The post କରୋନାକୁ ହରାଇଲେ ୯୫ ବର୍ଷୀୟା ସୁଶୀଳା first appeared on Sambad.

from ଜିଲ୍ଲା | Sambad https://ift.tt/3exIDEa