
ପୁରୀ : କରୋନାର ଭୟାବହତା ଭିତରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଏନେଇ ଆଜି ସଂଧ୍ୟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ସଂପାଦନ ଉପରେ ଗୁରୁତ୍ବ ଦେଇଛନ୍ତି। ସଂକ୍ରମଣମୁକ୍ତ ପରିବେଶ ପାଇଁ କଡ଼ା କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଚନ୍ଦନଯାତ୍ରା ନୀତିକାନ୍ତି ସହ କଟକଣା ପାଇଁ ସ୍ବତନ୍ତ୍ର ଏସ୍ଓପି ପ୍ରସ୍ତୁତି ସରିଥିବାବେଳେ ମଙ୍ଗଳବାର ଛତିଶାନିଯୋଗ ବୈଠକରେ ଏଥିରେ ଚୂଡ଼ାନ୍ତ ମୋହର ବାଜିବାକୁ ଯାଉଛି।
ମେ ୧୫ ତାରିଖରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଥିବାବେଳେ ଏହି ଉପଲକ୍ଷେ ମଙ୍ଗଳବାର(୧୧ ତାରିଖ) ମଧ୍ୟାହ୍ନ ସାଢ଼େ ୧୨ଟାରେ ଛତିଶାନିଯୋଗ ବୈଠକ ଡକାଯାଇଛି। ଭର୍ଚୁଆଲ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୂର୍ବତନ ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ। ଏହାର ପୂର୍ବପ୍ରସ୍ତୁତି ସ୍ବରୂପ ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଳ ସିଂହ, ଆଇନ ବିଭାଗ ଅତିରିକ୍ତ ସଚିବ ଲଲାଟେନ୍ଦୁ ଜେନା, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ବ ପ୍ରଶାସକ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଆସନ୍ତାକାଲିଠାରୁ ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ସେବକଙ୍କ ଆର୍ଟିପିସିଆର୍ କୋଭିଡ୍ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ତିନିଦିନ ଧରି ଏହି ଟେଷ୍ଟ ଚାଲିବ ବୋଲି ଜଣାପଡ଼ିଛି।
The post ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନର ବୈଠକ: କଟକଣା ମଧ୍ୟରେ ନୀତି ସମ୍ପାଦନ ପାଇଁ ପରାମର୍ଶ first appeared on Sambad.from ଜିଲ୍ଲା | Sambad https://ift.tt/3bhv4a9
0 Comments