ରାଉରକେଲା: ଆଉ ମାତ୍ର ୪/୫ ଦିନ ପରେ ଗରିବ ହିତାଧିକାରୀଙ୍କୁ ବଣ୍ଟନ ହେବ ଖାଉଟି ସାମଗ୍ରୀ। ମେ ଓ ଜୁନ୍ ଦୁଇ ମାସରେ ହିତାଧିକାରୀମାନେ ଏକକାଳୀନ ପାଇବେ ଗହମ ଓ ଚାଉଳ। ସେମିତି ଜୁନ୍ ମାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ବଣ୍ଟାଯିବ। ରାଉରକେଲା ସହରରେ ପାଖାପାଖି ୬୭ ହଜାରରୁ ଅଧିକ କାର୍ଡଧାରୀ ଉପକୃତ ହେବେ।

Mint

ଖାଉଟି ସାମଗ୍ରୀ ବଣ୍ଟନ ପୂର୍ବରୁ ଟିପ ଚିହ୍ନ ମେସିନ୍, ଆଇ ସ୍କାନରକୁ ବାଧ୍ୟତାମୂଳକ କରାଯାଇଥିବାରୁ ଚିନ୍ତାରେ ପଡିଛନ୍ତି ଉଭୟ କଣ୍ଟ୍ରୋଲ ଦୋକାନୀ ଓ ହିତାଧିକାରୀ। ଏବେ ଯୋଗାଣ ଅଫିସର ୪ ଜଣ କର୍ମଚାରୀ ଓ ୫ରୁ ଅଧିକ କଣ୍ଟ୍ରୋଲ ଦୋକାନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ଭୟ , ଟିପ ଚିହ୍ନ, ଆଇ ସ୍କାନର ମେସିନର ବ୍ୟବହାରକୁ ନେଇ ଚିନ୍ତାରେ ପଡିଛନ୍ତି କଣ୍ଟ୍ରୋଲ ଦୋକାନୀ। ଗୋଟିଏ ମେସିନରେ ବାରମ୍ବାର ଟିପ୍ ଚିହ୍ନ ଲାଗୁଥିବାରୁ ସଂକ୍ରମଣକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି କାର୍ଡଧାରୀ ଚାଉଳ ଓ ଗହମ ପାଇବେ, ତାକୁ ନେଇ ଚିନ୍ତାରେ ପଡିଛି ଯୋଗାଣ ବିଭାଗ। ବିକଳ୍ପ ବ୍ୟବସ୍ଥା କରିବାକୁ ନିକଟରେ ଆୟୋଜିତ ଯୋଗାଣ ବିଭାଗର ଭିଡିଓ କନ୍ଫରେସିଂରେ କିଛି ଜିଲ୍ଲାର ମାର୍କେଟିଂ ଇନ୍ସପେକ୍ଟର (ଏମ୍ଆଇ) ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀ ଏମ୍ଆଇଙ୍କ କଥାକୁ କୌଣସି ଗୁରୁତ୍ବ ଦେଇ ନଥିବା ଜଣାପଡିଛି।

ସେପଟେ କରୋନା କାଳରେ ଟିପ ଚିହ୍ନ, ଆଇ ସ୍କାନର ମେସିନ୍ ବ୍ୟବହାର ନ କରିବାକୁ ରାଜ୍ୟରେ କିଛି ଜିଲ୍ଲାର କଣ୍ଟ୍ରୋଲ ଦୋକାନୀମାନେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାମୟିକ ସମୟ ପାଇ ଦୁଇଟି ମେସିନ୍ ବ୍ୟବହାର ନ କରିବାକୁ ଦାବି କରିଥିଲେ। ଟିପ ଚିହ୍ନ, ଆଇ ସ୍କାନର ମେସିନ୍ ବ୍ୟବହାର ହେଲେ ଚାଉଳ, ଗହମ ବାଟମାରଣା ହେବାର ସମ୍ଭାବନା ରହିଛି। ବ୍ୟବହାର ହେଲେ ସଂକ୍ରମଣ ମଧ୍ୟ ଭୟ। ଏସବୁ ଭିତରେ ରାଉରକେଲାରେ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ବଣ୍ଟନରେ ଜିଲ୍ଲା ପ୍ରଶାସନ କି ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

The post ସଂକ୍ରମଣ ଭୟ : ବଢ଼ିଲା ଖାଉଟି ସାମଗ୍ରୀ ବଣ୍ଟନ ଚିନ୍ତା first appeared on Sambad.

from ଜିଲ୍ଲା | Sambad https://ift.tt/33kZwLQ