ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଚାଷୀ ଶହ ଶହ ଏକର ଜମିରେ ପୋଟଳ ଚାଷ କରିଥିଲେ। କିନ୍ତୁ ଏବେ ତାହାକୁ ଅମଳ କରିପାରୁ ନାହାନ୍ତି। ଯଦି ତୋଳିବେ ସଙ୍ଗେ ସଙ୍ଗେ ବିକ୍ରି କରିବାକୁ ପଡ଼ିବ। ନଚେତ ଶୁଖି ନଷ୍ଟ ହୋଇଯିବ। ଅନ୍ୟପଟେ ତୋଳିବାରେ ବିଳମ୍ବ ହେଉଥିବାରୁ ଫଳ ଗଛରେ ପାଚି ମାଟିରେ ମିଶୁଛି। କରୋନା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଦୋକାନ ବଜାର, ଗାଡି ମଟର ଯାତାୟାତ ସବୁ ଠପ। ଫଳରେ ସେମାନେ ପୋଟଳ ବିକ୍ରି ନ ହୋଇ ନଷ୍ଟ ହେଉଛି। ଚାଷୀ ଏହାଦ୍ବାରା ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି।

ସୂଚନା ଅନୁସାରେ ପ୍ରତି ବର୍ଷ ଖରା ଦିନରେ ପ୍ରଚୁର ପୋଟଳ ଚାଷ କରା ଯାଇଥାଏ। ବ୍ଲକର ତାରଙ୍ଗ, ଟୁହିଲାମାଳ,କୁଣ୍ଢେଇଗୋଳା, ଚଢେଇମରା, ତୁଙ୍ଗାମାଳ, ବୁଢାପାଳ, ମଳେହିପଡା, ଲୁଲଙ୍ଗ ପଞ୍ଚାୟତ ତଥା ବ୍ଲକର ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ଏକର ଏକର ଜମିରେ ପୋଟଳ କରିଥାନ୍ତି। ଜିଲ୍ଲାର ଚାହିଦା ମେଣ୍ଟାଇବା ପରେ ବଳକା ସମ୍ବଲପୁର, କଟକ, ଭୁବନେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼ ତଥା ଅନ୍ୟ ଜିଲ୍ଲା ବାହାରକୁ କିଛି ରପ୍ତାନି କରନ୍ତି। ଏଠାକାର ଚାଷୀ। ଫଳରେ ଭଲ ଦୁଇ ପଇସା ଅର୍ଥ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇଥାନ୍ତି। କିନ୍ତୁ ଗତ ୨ ବର୍ଷ ମହାମାରୀ କରୋନା ସବୁ ବିଗାଡ଼ି ଦେଇଛି। ଶହ ଶହ କ୍ବିଣ୍ଟାଲ ପୋଟଳ ଫଳିଥିବା ବେଳେ ବାହାର ବ୍ୟବସାୟୀ ନେବାକୁ ଆସୁନାହାନ୍ତି। ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ସମସ୍ତ ହାଟ, ବଜାର ମଧ୍ୟ ବନ୍ଦ ରହିଛି। ଗାଁ ଗାଁର ଜନ ସାଧାରଣ ଯାହା କିଣା କିଣି କରୁଛନ୍ତି ସେତିକି  ପରେ ବାକି ସବୁ ଗଚ୍ଛିତ ରଖିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଯାହାକି କିଲୋ ପିଛା ୧୫ ରୁ ୨୦ ଟଙ୍କା ରେ ବିକ୍ରି କରୁଛନ୍ତି। ଏପରିକି ଚାଷ ବାବଦ ଖର୍ଚ୍ଚ କରିଥିବା ଅର୍ଥ ରାଶି ବାହାର କରିବା କଷ୍ଟକର ହୋଇ ପଡ଼ୁଛି। ହଜାର ହଜାର ହେକ୍ଟର ଚାଷ ଜମିରେ ପୋଟଳ ଚାଷ ହୋଇଥିବା ବେଳେ ଅଭାବୀ ବିକ୍ରି ପାଇଁ ଏହି ଫସଲ ମାଟିରେ ମିଶିବାକୁ ବସିଲାଣି। ଚାଷୀ ଋଣ କରି ପୋଟଳ ଚାଷ କରିଥିଲେ। ପ୍ରଶାସନ ତରଫରୁ ଚାଷୀଙ୍କୁ ସହଯୋଗ କରା ନ ଗଲେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାରେ ଗୋଟିଏ ବି ଗାଡ଼ି ଗଡ଼ୁନଥିବା ବେଳେ ପ୍ରଶାସନ କିଛି ବ୍ୟବସ୍ଥା କରିବାକୁ ଦାବି ହୋଇଛି।

The post କରୋନା ଛାଟ: ଗଛରେ ପାଚି ମାଟିରେ ମିଶୁଛି ପୋଟଳ, ଲକ୍ଷାଧିକ ଟଙ୍କାର କ୍ଷତି first appeared on Sambad.

from ଜିଲ୍ଲା | Sambad https://ift.tt/3fhOCgQ