
ବଲାଙ୍ଗୀର : ସର୍ବଭାରତୀୟ ସ୍ତରରେ ହିନ୍ଦୀ ସାହିତ୍ୟର ଅଗ୍ରଣୀ ବିଦ୍ୱାନ ତଥା ସାରସ୍ୱତ ସାଧକ ପ୍ରଫେସର ଡ. ରାଧାକାନ୍ତ ମିଶ୍ର (୮୦)ବର୍ଷଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ। ଗତ ୨୦ ତାରିଖ ତାଙ୍କ ପରଲୋକ ହୋଇଛି।
ହିନ୍ଦୀ, ଇଂରାଜୀ, ଓଡ଼ିଆ, ସଂସ୍କୃତ ଭାଷାରେ ପାରଙ୍ଗମ ଥିବା ବିଶିଷ୍ଟ ସାହିତ୍ୟିକ, ଭାଷାବିତ୍, ସାରସ୍ୱତ ସାଧକ ସ୍ୱର୍ଗତ ଡ. ମିଶ୍ର ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ରାଜପାଲି ଗାଁରେ ୧୯୪୦ ମସିହା ଜୁଲାଇ ୧ ତାରିଖ ଜନ୍ମ ଗ୍ରହଣ କରିଥିଲେ।
୧୯୭୭ ମସିହାରେ ଭୁବନେଶ୍ୱରରେ ଏକ ହିନ୍ଦୀ ଟ୍ରେନିଂ କଲେଜ ପ୍ରତିଷ୍ଠାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହାର ପ୍ରତିଷ୍ଠା ପରେ ପ୍ରଥମ ଅଧ୍ୟକ୍ଷ ଭାବରେ ସେ ସେଠାରେ ଯୋଗ ଦେଇଥିଲେ। ସେହି ବର୍ଷ ହିଁ ବାଲେଶ୍ୱରସ୍ଥିତ ଫକୀର ମୋହନ କଲେଜକୁ ତାଙ୍କୁ ଅଧ୍ୟାପକ ଭାବେ ବଦଳି ହୋଇଥିଲା। ପରେ ୧୯୭୯ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ ଶାନ୍ତିନିକେତନ ବିଶ୍ୱଭାରତୀଠାରେ ପ୍ରାଧ୍ୟାପକ ଭାବରେ ଯୋଗ ଦେଇଥିଲେ। ୧୯୮୨ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ହିନ୍ଦୀ ବିଭାଗୀୟ ମୁଖ୍ୟ ଦାୟିତ୍ୱ ତୁଳାଇଥିଲେ। ରାଜେନ୍ଦ୍ର କଲେଜରୁ ପୁଣି ରେଭେନ୍ସା କଲେଜକୁ ତାଙ୍କ ବଦଳି ହୋଇଥିଲା। ସେଠାରେ ସେ ହିନ୍ଦୀ ବିଭାଗୀୟ ମୁଖ୍ୟ ସହ ପ୍ରଫେସର ଭାବରେ ଦାୟିତ୍ୱ ତୁଲାଇଥିଲେ। ୧୯୯୬ ଓ ୯୭ ଦୁଇ ବର୍ଷ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ।
ନିଜର କର୍ମମୟ ଜୀବନ ଭିତରେ ସେ ଅନେକ ସାରସ୍ୱତ ସୃଷ୍ଟି କରିଛନ୍ତି। ତାଙ୍କର ଅନନ୍ୟ ରଚନା ମଧ୍ୟରେ ସନ୍ଥ ତୁଲସୀ ଦାସଙ୍କ ରଚିତ ରାମଚରିତ ମାନସର ଓଡ଼ିଆ ଅନୁବାଦ, ଫକୀର ମୋହନଙ୍କ ‘ଛ ମାଣ ଆଠ ଗୁଣ୍ଠର ହିନ୍ଦୀ ଅନୁବାଦ, ରାମାୟଣର ଗଦ୍ୟାନୁବାଦ ଓ ପଦ୍ୟାନୁବାଦ ଇତ୍ୟାଦି ଅନେକ ପ୍ରସିଦ୍ଧିଲାଭ କରିଛି। ସେ ଶତାଧିକ ପୁସ୍ତକ ରଚନା କରିବା ସହ ଅନୁବାଦ କରିଥିଲେ।
The post ପ୍ରଫେସର ରାଧାକାନ୍ତ ମିଶ୍ର ଆଉ ନାହାନ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3fe7Ioe
0 Comments