କଟକ: ବାତ୍ୟା ‘ୟାସ୍‌’ର ପ୍ରଭାବରେ ଦିନତମାମ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ସିଏମ୍‌ସିର ‘ବାହାଘର ବେଳେ ବାଇଗଣ ରୁଆ’ ପରି ବାତ୍ୟାକୁ ଦେଖି ସହରର ବିଭିନ୍ନ ଡ୍ରେନରୁ ପଙ୍କ ସଫେଇ କାମ ଆରମ୍ଭ ହୋଇଛି। ନିଗମ ପକ୍ଷରୁ ଏମ୍‌ଏସ୍‌ଡବ୍ଲୁ ୧ ଓ ୨ର ସଫେଇ କାମ କରାଯାଉଥିବା ବେଳେ ଅନ୍ୟ ସମସ୍ତ ଡ୍ରେନ୍‌ କଥା ନିଗମ ଭୁଲିଯାଇଛି। ଚଳିତବ‌ର୍ଷ ଫେବୁଆରି ମାସରୁ ସହରରେ ଡ୍ରେନ୍‌ ସଫେଇ କାମ ବନ୍ଦ ରହିଛି।

ବାତ୍ୟ‌ା ବର୍ଷାକୁ ଦେଖି ନିଗମ ତରବରିଆ ଭାବେ ଏବେ ପଙ୍କ ଉଦ୍ଧାର କାମ କରିବା ସହରରେ ଜଳବନ୍ଦୀ ସମସ୍ୟାକୁ କେତେ ପରିମାଣରେ କମ କରିବ ତାହା କେବଳ ସମୟ କହିବ ବୋଲି ଚର୍ଚା ହେଉଛି। ସହରରେ ଡ୍ରେନ୍‌ ସଫେଇକୁ ନେଇ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ନିଗମ ପକ୍ଷରୁ ଚଳିତବର୍ଷ ଏହାକୁ ଗୁରୁତ୍ବ ଦିଆଯାଇ ନାହିଁ। ପ୍ରତିବର୍ଷ ଜାନୁଆରିରୁ ମେ’ ମାସ ମଧ୍ୟରେ ପଙ୍କ ଉଦ୍ଧାର କାମ କରାଯାଏ। ମାତ୍ର ୨୦୧୯ ଫନି ବାତ୍ୟା ପରଠାରୁ କେବଳ ବର୍ଷାଦିନ ଛାଡ଼ି ବର୍ଷର ସବୁ ସମୟରେ ପଙ୍କ ଉଦ୍ଧାର କାମ କରିବାକୁ ସିଏମ୍‌ସି ପକ୍ଷରୁ ସ୍ଥିର ହୋଇଥିଲା।

ମାତ୍ର ଚଳିତବର୍ଷ ସହରରେ ଗତ ଫେବୁଆରି ମାସରୁ ଡ୍ରେନ୍‌ ସଫେଇ କାମ ବନ୍ଦ ରହିଛି। ବାତ୍ୟା ‘ୟାସ୍‌’କୁ ଦେଖି ସିଏମ୍‌ସି ପକ୍ଷରୁ ଗତ ଦୁଇଦିନ ଧରି ପଙ୍କ ଉଦ୍ଧାର କାମ ଆରମ୍ଭ ହୋଇଛି। ବିଶେଷ ଭାବେ ଏମ୍‌ଏସ୍‌ଡବ୍ଲୁ ୧ ଓ ୨ରେ ସଫେଇ କାମ ଅତି ତରବରିଆ ଭାବେ କରାଯାଉଛି। ସେପଟେ ବିଭିନ୍ନ ସାହିବସ୍ତିର ଡ୍ରେନକୁ ସିଏମ୍‌ସି ଭୁଲି ଯାଇଛି। ଅତି ତରବରିଆ ଭାବେ ମୁଖ୍ୟ ଡ୍ରେନ୍‌ଗୁଡିକୁ ସଫା କରାଯାଉଥିବାରୁ ସେଗୁଡିକରୁ ଠିକ୍‌ ଭାବେ ପଙ୍କ ଉଠାଯାଉ ନାହିଁ। ଉପରେ ଭାସୁଥିବା ଅଳିଆକୁ କେବଳ ସଫା କରିଦିଆଯାଉଛି। ସହରର ମାତୃଭବନରୁ ନୂଆବଜାର ମଧ୍ୟରେ ଥିବା ଏମ୍‌ଏସ୍‌ଡବ୍ଲୁ-୧ ଡ୍ରେନ୍‌ରୁ ପଙ୍କ ଉଦ୍ଧାର କରାଯାଇ ନଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଏଠାରେ ଜାଇକା ପକ୍ଷରୁ ଡ୍ରେନର ଉଭୟପାର୍ଶ୍ବରେ ୱାଲ୍‌ କାମ ଚାଲିଥିବାରୁ ଏହାକୁ ସଫା କରାଯାଇ ନାହିଁ। ସେହିପରି ବିଭିନ୍ନ ସାହିବସ୍ତିର ଡ୍ରେନ୍‌ରୁ ମଧ୍ୟ ପଙ୍କ ସଫା କରାଯାଇ ନଥିବାରୁ ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷାରେ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଜଟିଳ‌ ହେବାର ଆଶଙ୍କା ପ୍ରକାଶ ପାଇଛି।

The post ସିଏମ୍‌ସିର ବାହାଘର ବେଳେ ବାଇଗଣ ରୁଆ; ବାତ୍ୟା ‘ୟାସ’କୁ ‌ଦେଖି ପଙ୍କ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3vmuwrv