
କଟକ : ସମୟ ଅତିକ୍ରାନ୍ତ ସାମଗ୍ରୀ ବିକ୍ରି ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସମୟ ଅତିକ୍ରାନ୍ତ ସାମଗ୍ରୀ ବିକ୍ରି ମାମଲା ବନ୍ଦ କରିବା ପାଇଁ ଚଢଉ, ଯାଞ୍ଚ ଆଉ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ ବଲାଙ୍ଗୀର ପାଟଣାଗଡ ଅଞ୍ଚଳର ବିଶ୍ବେଶ୍ବର ପାଣିଗ୍ରାହୀଙ୍କ ଗୋଦାମ ଉପରେ ପୁଲିସ ଚଢଉ କରି ୧୨୩ ପ୍ୟାକେଟ ବିସଲେରି ପାଣି ଓ ୪ କାର୍ଟୁନ ସ୍ପ୍ରିଲ୍ ମ୍ୟାଙ୍ଗୋ ଜୁସ୍ ଜବତ କରିଥିଲା। ସେଥିରୁ ସାମଗ୍ରୀର ପ୍ରସ୍ତୁତି ତାରିଖକୁ ଲିଭାଇ ଦିଆଯାଇଥିଲା। ଜେରା ବେଳେ ବିଶ୍ବେଶ୍ବର ସୂଚନା ଦେଇଥିଲେ ଯେ ସେ ତାହାକୁ ଏସ.ଏସ୍.ଏଣ୍ଟରପ୍ରାଇଜର୍ସରୁ କମ୍ ଦାମରେ କିଣିଥିଲେ। ବିଶ୍ବେଶ୍ବରଙ୍କ ବୟାନ ଆଧାରରେ ଏସ୍.ଏସ୍.ଏଣ୍ଟରପ୍ରାଇଜର୍ସ ମାଲିକ ସରୋଜ କୁମାର ମେହେରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ବିଶ୍ବେଶ୍ବର ମେ ୧୭ ତାରିଖରୁ ଜାମିନ୍ ପାଇ ସାରିଥିବା ବେଳେ ମାର୍ଚ୍ଚ ୧୬ ତାରିଖରୁ ସରୋଜ ଜେଲରେ ଅଛନ୍ତି ବୋଲି ତାଙ୍କ ପକ୍ଷରୁ ଆଇନଜୀବୀ ଭବାନୀଶଙ୍କର ଦାସପରିଡା ଦର୍ଶାଇଥିଲେ। ଅନ୍ୟପଟେ କୋର୍ଟରେ ଦାଖଲ କେମିକାଲ୍ ରିପୋର୍ଟରେ ଜବତ ସାମଗ୍ରୀର ମାନ ଠିକ ଥିବା ଦର୍ଶାଯାଇଥିଲା। ଏସବୁ ତଥ୍ୟ ପ୍ରମାଣ ଆଧାରରେ ଅଦାଲତ ସରୋଜ କୁମାର ମେହେରଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି।
କିନ୍ତୁ ଏଭଳି କାରବାରକୁ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିବା ସହିତ ଏ କ୍ଷେତ୍ରରେ ଖାଉଟି ବ୍ୟାପାର କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ, ପାନୀୟର ପ୍ଲାଷ୍ଟିକ ପ୍ୟାକେଜିଂରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚୁଥିବା ତଥ୍ୟ, ପ୍ରମାଣ ବିଶ୍ବସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଛି। ଏସବୁ କାରବାରର ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି। କିନ୍ତୁ ତାହାର ଖିଲାପରେ ବ୍ୟବସାୟ ଚାଲିଥିବା ବେଳେ ଠିକରେ ଯାଞ୍ଚ ବି ହେଉ ନାହିଁ। ଖାଉଟିଙ୍କ ସ୍ବାସ୍ଥ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ସମୟ ଅତିକ୍ରାନ୍ତ ସାମଗ୍ରୀକୁ ନଷ୍ଟ କରାଯିବା ତୁରନ୍ତ ଆବଶ୍ୟକ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ବିଭାଗ ଚଢଉ, ଯାଞ୍ଚ ଆଉ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜଷ୍ଟିସ୍ ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି।
The post ସମୟ ଅତିକ୍ରାନ୍ତ ସାମଗ୍ରୀ ବିକ୍ରି ମାମଲା: ଚଢଉ, ଯାଞ୍ଚ୍ ତ୍ବରାନ୍ବିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3yrWaF8
0 Comments