
ଖଡ଼ିଆଳ: ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ସାମନାରେ ବର୍ତ୍ତମାନ ବର୍ଷା ପାଣି ଜମି ରହୁଛି। ଫଳରେ ରୋଗୀ, ସେମାନଙ୍କ ସଂପର୍କୀୟ ତଥା ଡାକ୍ତର ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଚିକିତ୍ସାଳୟ ପରିସରରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହି ଅସ୍ବାସ୍ଥ୍ୟକରି ପରିବେଶ ସୃଷ୍ଟି କରୁଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ପ୍ରକାଶ ଯେ ଏହି ଉପଖଣ୍ଡ ଡାକ୍ତରଖାନା ଉପରେ ଜିଲ୍ଲାର ତିନୋଟି ବ୍ଲକ୍ ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ସମେତ ପଡ଼ୋଶୀ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଲୋକେ ମଧ୍ୟ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। କରୋନା ପୂର୍ବରୁ ଦୈନିକ ୩୦୦ରୁ ଅଧିକ ରୋଗୀ ଏଠାକୁ ଆସୁଥିଲେ।
ବର୍ତ୍ତମାନ ୧୦୦ରୁ ୧୩୦ ଯାଏ ରୋଗୀ ଚିକିତ୍ସିତ ହେଉଛନ୍ତି। ରୋଗୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ସ୍ଥାନରେ ୧୦କୋଟି ଟଙ୍କା ବ୍ୟୟରେ ଚିକିତ୍ସାଳୟ କୋଠା ନିର୍ମାଣ କରାଯାଇଛି। ହେଲେ ସାମାନ୍ୟ ବର୍ଷା ହେଲେ କୋଠାର ଠିକ୍ ସାମନାରେ ପାଣି ଜମି ରହୁଛି। ଏହାର ପରିସରରେ ଅଳିଆ ଆବର୍ଜନା ବି ପଡ଼ିରହୁଛି। ସେହିପରି ଚିକିତ୍ସାଲୟକୁ ସଂଯୋଗ କରୁଥିବା ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ପାଣି ଜମୁଛି। ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଦିନଠାରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ଚିକିତ୍ସାଲୟ ନିର୍ମାଣ ହୋଇଛି ତାହା ପୂରଣ ହୋଇ ପାରୁନାହିଁ ବୋଲି ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା ହେଉଛି ଏନେଇ ନୂଆପଡ଼ା ଜିଲ୍ଲା ଚିକିତ୍ସାଧିକାରୀ କାଳୀଚରଣ ବେହେରାଙ୍କୁ ପଚାରିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ।
The post ଅବ୍ୟବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ; ସାମନାରେ ଜମୁଛି ବର୍ଷାପାଣି, ପରିସରରେ ଆବର୍ଜନା first appeared on Sambad.from ଜିଲ୍ଲା | Sambad https://ift.tt/3iIYBOt
0 Comments