
ବୀରମହାରାଜପୁର : ଯେତେବି କଠିନ କାର୍ଯ୍ୟ ହେଉ ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ବଳରେ ଝିଅମାନେ ମଧ୍ୟ ପୁଅମାନଙ୍କ ଠାରୁ ଆହୁରି ଅଧିକ ଏକ ପାଦ ଆଗେଇ କାର୍ଯ୍ୟ କରି ପାରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ କଲ୍ୟାଣୀ ଗୁରୁ (୨୦)।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଟାଙ୍ଗରସାହି ଲୁହୁରା (କମାର) ଘରର ଝିଅ କଲ୍ୟାଣୀ। ୨ ମାସ ତଳେ ବାହା ହୋଇଛନ୍ତି। ସଦ୍ୟ ବିବାହିତା କଲ୍ୟାଣୀ କମାରଶାଳରେ ବସି ନିଆଁରେ ଲୁହାକୁ ଗରମ କରି ନିଜ ସୁକ୍ଷ୍ମ ହାତରେ ପିଟି ପିଟି ଲଙ୍ଗଳରେ ବ୍ୟବହୃତ ଲୁହା, କୋଡ଼ି, ସାବଳ, ଦା’, କଟୁରି ଆଦି ତିଆରି କରୁଛନ୍ତି।
କଲ୍ୟାଣୀ ଯେତେବେଳେ ବୀରମହାରାଜପୁର ବାଳିକା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଥିଲେ ସେହି ସମୟରେ ତାଙ୍କର ପିତା ନବୀନ ଗୁରୁ ରୋଗଗ୍ରସ୍ତ ହୋଇ ଆଉ କମାରଶାଳରେ କାମ କରିପାରିଲେ ନାହିଁ। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଫଳରେ ପିଲାଟି ଦିନରୁ ବାପାଙ୍କ କାମ ଦେଖିଥିବା କଲ୍ୟାଣୀର ଆତ୍ମବିଶ୍ବାସ ହେଲା ସେ ବି କମାରଶାଳ କରିପାରିବ। ପ୍ରଥେମ ବାପା ମନା କରୁଥିଲେ ବି ପରେ ରାଜି ହୋଇଥିଲେ। ଏହାର କିଛି ଦିନ ପରେ ବାପା ଚାଲିଗଲେ। କଲ୍ୟାଣୀଙ୍କ ଆଉ ଦଶମ ଶ୍ରେଣୀ ପରୀକ୍ଷା ଦେଲେ ନାହିଁ। ପାଠପଢ଼ାରେ ଡୋରି ପଡ଼ିଗଲା। ବାପାଙ୍କ ଅନ୍ତେ ପରିବାର କହିଲେ କଲ୍ୟାଣୀ ଓ ତାଙ୍କ ମା’ କ୍ଷୀର ଗୁରୁ। କଲ୍ୟାଣୀ କମାରଶାଳରେ କାମ କରି ପରିବାର ପ୍ରତିପୋଷଣ କଲେ। ଗରିବ ଶ୍ରେଣୀର ହୋଇଥିଲେ ବି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବି ଏହି ଗରିବ ପରିବାର ବଞ୍ଚିତ।
ଅନ୍ୟ ପକ୍ଷରେ ଏହି ଲକ୍ଡାଉନ୍ ସମୟରେ କଲ୍ୟାଣୀ ବରଗଡ଼ ଜିଲ୍ଲା ଗୁଏସର ଗାଁର ଅଜିତ ଗୁରୁଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ କଲ୍ୟାଣୀ ସ୍ବାମୀଙ୍କ ସହ ନିଜ ମା’ ଘରେ ରହୁଛନ୍ତି। କଲ୍ୟାଣୀ ଲୁହା ସାମଗ୍ରୀ ତିଆରି କରି ଆତ୍ମନିର୍ଭରଶୀଳ। ସ୍ବାମୀ ବି ତାଙ୍କୁ ସହଯୋଗ କରୁଥିବା କଲ୍ୟାଣୀ କହନ୍ତି। ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ହୁଏତ ଆଉ କିଛି କରିପାରନ୍ତେ ବୋଲି ସଚେତନ ନାଗରିଗଙ୍କ ମହଲରେ ପ୍ରକାଶ।
The post କୌଣସି ପୁଅଠାରୁ କମ୍ ନୁହନ୍ତି କଲ୍ୟାଣୀ: ଲୁହା ପିଟି ପରିବାର ପୋଷଣ କରୁଛନ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3uQqCps
0 Comments