ବ୍ରହ୍ମଗିରି : ଫୁଲ ଗଛରୁ କେହି ଫୁଲ ତୋଳି ନ ନେବାକୁ ଗଛରେ ହୋଇଥିଲା ବିଦ୍ୟୁତ୍ ଚାର୍ଜ। ଆଉ ଫୁଲ ତୋଳିବା ବେଳେ ବିଦ୍ୟୁତ୍ ଚାର୍ଜ ହୋଇ ରହିଥିବା ଗଛରେ ଲାଗି ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଏଭଳି ଘଟଣା ଗୁରୁବାର ସକାଳୁ ବ୍ରହ୍ମଗିରି ଥାନା ଜାଡିପୁର ଗାଁରେ ଘଟିଛି।

ପୁଲିସ ସୂତ୍ରରୁ ପ୍ରକାଶ ବ୍ରହ୍ମଗିରି ଥାନା ଜାଡିପୁର ଗାଁର ଦୁଷ୍ମନ୍ତ ବରାଳ ଏକ କନିଅର ଫୁଲ ଗଛରେ ବିଦ୍ୟୁତ୍ ଚାର୍ଜ କରି ରଖି ଥିଲେ। ଏହି ଗଛରୁ କେହି ଯେମିତି ଫୁଲ ତୋଳି ନେବେ ନାହିଁ ସେଥିପାଇଁ ବିଦ୍ୟୁତ୍ ଚାର୍ଜ କରି ରଖି ଥିଲେ। ଗୁରୁବାର ଭୋରରୁ ଗାଁର ଗୁରୁଦେବ ବରାଳ(୪୭) ଫୁଲ ତୋଳିବାକୁ ଯାଇଥିଲେ। ଫୁଲ ତୋଳିବା ପାଇଁ ଗଛରେ ଲାଗିବା ମାତ୍ରେ ସେହିଠାରେ ଶକ୍ତ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲା। ଏନେଇ ମୃତକ ଗୁରୁଦେବଙ୍କ ପତ୍ନୀ ସଂଯୁକ୍ତା ବରାଳ ଲିଖିତ ଭାବରେ ଥାନାରେ ଅଭିଯୋଗ କରିବା ପରେ ଏକ ହତ୍ୟା ମାମଲା ରୁଜୁ କରି ଶବ ଜବତ କରାଯାଇଛି। ପୁରୀ ସଦର ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ବରାଳକୁ ଥାନାରେ ଅଟକ ରଖା ଯାଇ ପଚରା ଉଚରା ଜାରି ରହିଥିବା ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ କହିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ମହାରଣା କହିଛନ୍ତି ଘଟଣା ଉପରେ ବିଭାଗ ନଜର ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବିଭାଗ ଯାହା ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

The post ଫୁଲ ତୋଳିବାବେଳେ ଯୁବକଙ୍କ ମୃତ୍ୟୁ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3fQ0abe