ନବରଙ୍ଗପୁର : ପ୍ରଶାସନର ନିୟନ୍ତ୍ରଣରେ ରହୁନି କରୋନା କଟକଣା। ଗୋଟିଏ ଦିନ ବ୍ୟବଧାନ ପରେ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାବେଶରେ ପୁଣି ହେଲା ବାଲିଯାତ୍ରା। ତେବେ ଯାତ୍ରା ପୂର୍ବରୁ କିପରି ଭାବେ ପୁଲିସ ଓ ପ୍ରଶାସନର ନଜରକୁ ଆସୁନି ତାକୁ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ସରକାର କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି। ବିବାହ, ଦଶାହ ଆଦି କାର୍ଯ୍ୟରେ ୨୫ ଜଣଙ୍କୁ ଅନୁମତି ଦେଇଥିବା ବେଳେ କୌଣସି ସ୍ଥାନରେ ଯାନି ଯାତ୍ରା ଏବଂ ଜନସମାବେଶକୁ କଟକଣା କରାଯାଉଛି। ଏପରି ସ୍ଥଳରେ ନବରଙ୍ଗପୁର ଜିଲ୍ଲାରେ କିପରି ଚାଲିଛି ଯାନି ଯାତ୍ରା ତାକୁ ନେଇ ସନ୍ଦେହ ସୃଷ୍ଟି ହେଇଛି। ଏପରି ବ୍ୟତିକ୍ରମ ଦେଖାଦେଇଛି କୋଷାଗୁମୁଡା ବ୍ଲକରେ ।

ଗତ ବୁଧବାର ଦିନ କୋଷାଗୁମୁଡା ବ୍ଲକର କର୍ଚ୍ଚାମାଳ ଗ୍ରାମରେ ଶହ ଶହ ଲୋକଙ୍କ ସମାବେଶରେ ବାଲି ଯାତ୍ରା ହୋଇଥିବା ବେଳେ କୋଡିଗାଁ ପୁଲିସ ପାଖରେ ପହଞ୍ଚିପାରିଲାନି ସୂଚନା। ଗୁରୁବାର ଦିନ ପୁଲିସ ଓ ତହସିଲଦାର ଯାଇ ଗାଁରେ ଜରିମାନା ଆଦାୟ କରି ଆସିଥିଲେ। ସେହିଦିନ ହିଁ କୋଷାଗୁମୁଡା ବ୍ଲକର ଦୁରାଗାଁରେ ବାଲିଯାତ୍ରା ହୋଇଥିଲେ ମଧ୍ୟ ତାହା କାହା ନଜରକୁ ଆସିପାରିନଥିଲା। ଗତକାଲି ପୁଣି କୋଷାଗୁମୁଡା ଥାନା ଅନ୍ତର୍ଗତ ରାଜୋଡା ପଞ୍ଚାୟତର କୁସୁମପଲ୍ଲୀ ଗ୍ରାମରେ ହଜାର ହଜାର ଲୋକଙ୍କ ସମାବେଶ ରେ ବାଲି ଯାତ୍ରା ଚାଲିଥିଲା। ତାହା ବି କୋଷାଗୁମୁଡା ଠାରୁ ମାତ୍ର ୫ କିମି ଦୁରରେ । ଯାତ୍ରାରେ ଦୋକାନ ବଜାର ବସିଥିଲା। ଆଖ ପାଖ ଗାଁ ସମେତ ସୀମାନ୍ତ ଛତିଶଗଡର ଲୋକେ ବି ଆସି ଜମା ହୋଇଥିଲେ। ତଥାପି ପୁଲିସ ପାଖକୁ ଆଗୁଆ ସୂଚନା ଆସିପାରିଲା ନାହିଁ। ଯେତେବେଳେ ଭିଡିଓ ଭାଇରାଲ ହେଲା ଅପରାହ୍ନରେ କୋଷାଗୁମୁଡା ଥାନା ପକ୍ଷରୁ ଉକ୍ତ ଗ୍ରାମକୁ ଯାଇ ଜରିମାନା ଆଦାୟ କରିବା ସହ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗ୍ରାମବାସୀଙ୍କୁ।

ତେବେ ଅଞ୍ଚଳବାସୀଙ୍କ ଦାବି ହେଲା ବାଲିଯାତ୍ରା ଯେଉଁ ଠାରେ ଅନୁଷ୍ଠିତ ହେଉଛି ସେହି ଗ୍ରାମରେ ୩ ମାସ ଆଗରୁ ଗାଁରେ ଯାତ୍ରା ଚାଲିଥାଏ। କେବଳ ଉଦଯାପନୀ ଦିନ ବଡ ଧରଣର ଯାତ୍ରା ହଜାର ହଜାର ଲୋକଙ୍କ ସମାବେଶରେ ହୋଇଥାଏ। ସେହି ଯାତ୍ରାରେ ବଡ ବଡ ରାଜନେତାଙ୍କୁ ନିମନ୍ତ୍ରଣ ହୋଇଥାଏ। ତେବେ ଉଦଯାପନୀ ଉତ୍ସବ ସଂକ୍ରାନ୍ତରେ ପ୍ରଶାସନ ଜାଣି ଚୁପ୍ ରହୁଛନ୍ତି ନା ପ୍ରକୃତରେ ଖବର ଆସିପାରୁନି ତାକୁ ନେଇ ଉଠୁଛି ପ୍ରଶ୍ନ ।

The post ନିୟନ୍ତ୍ରଣରେ ରହୁନି କରୋନା କଟକଣା, ପୁଣି ୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାବେଶରେ ହେଲା ବାଲି ଯାତ୍ରା first appeared on Sambad.

from ଜିଲ୍ଲା | Sambad https://ift.tt/3ptD9hB