ପାଇକମାଳ : ଗତ ସାତ ମାସ ଧରି ଆନ୍ଧ୍ରପ୍ରଦେଶର ପୈଦାପଲ୍ଲୀ ଜିଲ୍ଲା ଅନ୍ତର୍ଗତ କରଲାଚିର୍ଲା ଗାଁରେ ଥିବା ଇଟାଭାଟିରେ କାମ କରୁଥିବା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ନିଲାଥର ଗ୍ରାମର ପ୍ରମୋଦ ତାଣ୍ତି (୩୦), ସ୍ତ୍ରୀ ନୃପତି ତାଣ୍ତି (୨୫) ଏବଂ ତିନି ବର୍ଷର ଛୁଆ ଭବନ ଅକଥନୀୟ ନିର୍ଯାତନା ଭୋଗୁଥିଲେ। ପ୍ରାଣ ଭୟରେ ଲୁଚିଛପି ଭୋକ ଉପାସରେ ଗତ ୬ ତାରିଖ ସେମାନେ ନିଜ ଗ୍ରାମ ନିଲାଥରକୁ ପହଞ୍ଚିଛନ୍ତି। ଇଟାଭାଟି ମାଲିକ ବିରୋଧରେ ସେମାନେ ଥାନାରେ ଏତଲା ଦେଇଛନ୍ତି। ଥାନା ଅଧିକାରୀ ରିପୋର୍ଟ ପାଇବା କ୍ଷଣି ସ୍ବାମୀ, ସ୍ତ୍ରୀର ମେଡିକାଲ ଯାଞ୍ଚ ସହ ଘଟଣାର ତଦନ୍ତ କରୁଛନ୍ତି।

ପାଇକମାଳ ବ୍ଲକ୍‌ର ଶହ ଶହ ପରିବାର ସଦସ୍ୟକୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ବରତୁଣ୍ତା ଗ୍ରାମର ଗୋବିନ୍ଦ ସୁନା ନାମକ ଦଲାଲ ପଠାଇ ଏଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି। ପ୍ରମୋଦଙ୍କ ପରିବାରକୁ ଆନ୍ଧ୍ରପ୍ରଦେଶ ଯିବାକୁ ପ୍ରବର୍ତାଇ ଲକ୍ଷାଧିକ ଟଙ୍କା ଆୟ କରିବ ବୋଲି ସେ ଲୋଭ ଦେଇଥିଲା। ପ୍ରମୋଦ ସପରିବାର ଆନ୍ଧ୍ରରେ ଆରିଫ ନାମକ ଜଣେ ଭାଟି ମାଲିକ ପାଖରେ ଗତବର୍ଷ ନଭେମ୍ବର ମାସରୁ କାମ କରିଥିଲେ। ଟଙ୍କା ମାଗିଲେ ତାଙ୍କୁ ଧମକ ମିଳୁଥିଲା। ଗୋବିନ୍ଦ ପୂର୍ବରୁ ଲକ୍ଷେ ଟଙ୍କା ଅଗ୍ରିମ ନେଇଥିବାରୁ କିଛି ଟଙ୍କା ମିଳିବନି ବୋଲି ଆରିଫ ଧମକ ଦେଇଥିଲା। ଏପରିକି ପ୍ରମୋଦଙ୍କୁ ମାଡ଼ ମରାଯାଇଥିଲା। ଗତ ୧ ତାରିଖ ଏହି ଘଟଣା ଘଟିଥିବାବେଳେ ଭୟରେ ଗତ ୬ ତାରିଖ ପ୍ରମୋଦ ପରିବାରବର୍ଗଙ୍କୁ ନେଇ ଜୀବନ ବିକଳରେ ପଳାଇ ଆସିଥିଲେ।

The post ଆନ୍ଧ୍ର ଇଟାଭାଟିରେ ଦାଦନ ଶ୍ରମିକ ନିର୍ଯାତିତ first appeared on Sambad.

from ଜିଲ୍ଲା | Sambad https://ift.tt/3w9sRpw