ଖୋର୍ଦ୍ଧା: ଯୋଗାଣ ଶୃଙ୍ଖଳ ପରିଚାଳନାରେ ଚଂଚକତା ଓ ନିମ୍ନମାନର ଚାଉଳ ଉଠାଣ ନେଇ କେନ୍ଦ୍ର ସରକାରଙ୍କ ଟିମ୍ର ରିପୋର୍ଟ ଆଧାରରେ ଆଜି ଖୋର୍ଦ୍ଧା ଯୋଗାଣ ବିଭାଗ ଅଧୀନରେ କାମ କରୁଥିବା ଜଣେ ସଂଗ୍ରହ ନିରୀକ୍ଷକ (ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର), ଜଣେ ଗୁଣାତ୍ମକମାନ ସମୀକ୍ଷକ (କ୍ୱାଲିଟି ଆନାଲିଷ୍ଟ)ଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ଜଣ ସଂଗ୍ରହ ନିରୀକ୍ଷକଙ୍କୁ ବଦଳି କରାଯାଇଛି । ଏହା ସହ ଯୋଗାଣ ବିଭାଗ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଜିଲ୍ଳ ଯୋଗାଣ ବିଭାଗ ଅଧିକାରୀ ଅନାମ ଚରଣ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ବେସାମରିକ ଯୋଗାଣ ନିଗମ ଜିଲ୍ଲାର ଜଣେ ସଂଗ୍ରହ ନିରୀକ୍ଷକ ଓ ଜଣେ ଗୁଣାତ୍ମକମାନ ସମୀକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ତେବେ କାରଣ ଦର୍ଶାଅ ନୋଟିସ ଓ ପରବର୍ତୀ ପଦକ୍ଷେପ ସମ୍ପର୍କରେ କହିଛନ୍ତି ଯେ ନିଦେ୍ର୍ଦଶ ଅନୁସାରେ ସେ ଜବାବ ରଖିବେ । ପରେ ସରକାର ଏହି ଘଟଣା ଉପରେ ଯାହା ପଦକ୍ଷେପ ନେବେ । ସେହିଭଳି ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଏଭଳି ନିଲମ୍ବନ ହୋଇଥିବା କିମ୍ବା କାରଣ ଦର୍ଶାଅ ନୋଟିସ ନେଇ ସେ ଅବଗତ ନାହାନ୍ତି । ଯୋଗାଣ ଅଧିକାରୀ ମଧ୍ୟ ତାଙ୍କୁ ଏନେଇ କିଛି ଜଣାଇନାହାନ୍ତି । ସେ ଏସମ୍ପର୍କରେ ବୁଝି ପ୍ରତିକ୍ରିୟା ଦେବେ ।
ସୂଚନାନୁସାରେ, ୧୨ ନଭେମ୍ବର ୨୦୨୦ରେ ରାଜ୍ୟସ୍ତରୀୟ ଗୁଣାତ୍ମକମାନ ପ୍ରବର୍ତନ ସ୍କ୍ୱାଡ୍ ଜଟଣୀ ସେଂଟ୍ରାଲ ୱେୟାର୍ହାଉସ୍ କର୍ପୋରେସନ୍ର (ସିଡବ୍ଲୁସି) ଗୋଦାମ୍ ଯାଂଚ କରିଥିଲେ । ଏଥିରେ ସିଡବ୍ଲୁସିର ପରିଚାଳକ ୬ଟି ଥାକ ଚାଉଳବସ୍ତା ଯୋଗାଣ ହୋଇଥିବା ଦର୍ଶାଇଥିବା ବେଳେ ଏହା ଯୋଗାଣ ହୋଇନଥିବା, ରଖାଯାଇଥିବା ଚାଉଳଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ ହୋଇନଥିବା, ଗୋଦାମ ଘରଗୁଡ଼ିକ ପୋକ ଆଦିରେ ସଂକ୍ରମିତ ହୋଇଥିବା ଆଦି ୯ଟି ପ୍ରସଙ୍ଗରେ ସେହି ମାସ୨୩ ତାରିଖରେ ସିଡବ୍ଲୁସିର ଆଂଚଳିକ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ସୁପାରିଶ କରିଥିଲେ । ଏହାପରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଗସ୍ତ କରି ଆର୍ଆର୍ସି ଓ ଡିଏସ୍ସିଗୁଡ଼ିକରେ ଥିବା ଚାଉଳର ସ୍ଥିତି କରିଥିଲେ । କେନ୍ଦ୍ରୀୟ ଟିମ୍ର ସୁପାରିଶ ଅନୁସାରେ, ରାଜ୍ୟ ସରକାର ଖୋର୍ଦ୍ଧା ଯୋଗାଣ ବିଭାଗ ଅଧୀନରେ କାର୍ୟ୍ୟ କରୁଥିବା କ୍ୱାଲିଟି ଆନାଲିଷ୍ଟ ଶାରଦା ନାୟକ ଓ ସଂଗ୍ରହ ନିରୀକ୍ଷକ ଲିପିକା ଦାସଙ୍କୁ ନିଲମ୍ବନ କରିଛନ୍ତି । ସେହିଭଳି ରଶ୍ମୀତା ମଲିକ ଓ ବିଷ୍ଣୁପ୍ରିୟା ସାହୁଙ୍କୁ ଖୋର୍ଦ୍ଧାରୁ ଯଥାକ୍ରମେ ଆର୍ଆର୍ସି ମଂଚେଶ୍ୱର ଓ ଢେଙ୍କାନାଳ ବଦଳି କରାଯାଇଛି ।

ଏହା ସହ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଆଜି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିଦେ୍ର୍ଦଶକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିରେ ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସରକାରଙ୍କ ୨ଟି କ୍ୱାଲିଟି କଂଟ୍ରୋଲ୍ ଟିମ୍ ଜିଲ୍ଲାର ଆର୍ଆର୍ସି ଓ ଡିଏସ୍ସିଗୁଡ଼ିକ ଯାଂଚ କରିଥିଲେ । ଏଥିରେ ମିଲରମାନଙ୍କ ଠାରୁ ନିମ୍ନମାନର ଚାଉଳ କିଣାଯାଇଥିବା ଜଣାପଡ଼ିଛି । ସେହିଭଳି ଜଟଣୀ ସିଡବ୍ଲୁସିରେ ସଂଗୃହୀତ ହୋଇଥିବା ବିଆର୍ଏଲ୍ ଚାଉଳଗୁଡ଼ିକ ବଦଳାଇବାକୁ ନିଦେ୍ର୍ଦଶହୋଇଥିଲା ତାକୁ ମଧ୍ୟ ପାଳନ କରାଯାଇନାହିଁ । ଏଭଳି ଗୁରୁତର କାର୍ୟ୍ୟରେ ତାଙ୍କୁ କାହିଁକି ନିଲମ୍ବନ କରାଯିବ ନାହିଁ ସେନେଇ ଉତ୍ତର ୭ ଦିନ ମଧ୍ୟରେ ରଖିବାକୁ କୁହାଯାଇଛି ।

The post ମିଲରଙ୍କ ଠାରୁ ନିମ୍ନମାନର ଚାଉଳ ଗ୍ରହଣ ଘଟଣା : ସଂଗ୍ରହ ନିରୀକ୍ଷକ ଓ କ୍ୱାଲିଟି ଆନାଲିଷ୍ଟ ନିଲମ୍ବିତ, ୨ ସଂଗ୍ରହ ନିରୀକ୍ଷକଙ୍କ ବଦଳି first appeared on Sambad.

from ଜିଲ୍ଲା | Sambad https://ift.tt/3vXnUzV