ଜୟପୁର : କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ଓ ଶନି , ରବିବାର ସପ୍ତାହନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହା ସହ ଗତ ୩ମାସ ହେବ ସବୁ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଏହାର ପ୍ରଭାବ ବସର ମାଲିକଙ୍କ ସହ ଏଥିରେ କାମ କରି ଆସୁଥିବା ଡ୍ରାଇଭର, କଣ୍ଡକ୍ଟର, ହେଲଫରଙ୍କ ଉପରେ ସିଧାସଳଖ ଭାବେ ପଡିଛି। ଗତ ଦେଢ଼ ବର୍ଷ ହେବ କରୋନା ଆରମ୍ଭ ପର ଠାରୁ ବସ ମାଲିକଙ୍କ ଦୁଃଖ ଆରମ୍ଭ ହୋଇଛି। ପ୍ରଥମ ଲହର ବେଳକୁ ଅନ୍ତଃତ ସରକାର କିସ୍ତି ବାନ୍ଧିବା ଉପରେ ରୋକ୍ ଲଗାଇଥିଲେ। ଏହା ବାଦେ ବି ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡ଼ିକ ବସ ମାଲିକଙ୍କ ଠାରୁ କିସ୍ତି ଆଦାୟ କରିଥିଲେ। ଏହାରି ମଧ୍ୟରେ ଗତ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସାମାନ୍ୟ ବସ ଚଳାଚଳ କରିବା ସହ ଧିରେ ଧିରେ ସ୍ବାଭାବିକ ଆଡ଼କୁ ଆସୁଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଲହର ଆସିବା ପରେ ସରକାର ସଂପୁର୍ଣ୍ଣ ରୁପେ ବସଚଳାଚଳକୁ ବନ୍ଦ କରିଦେଇଥିଲେ। ଏହା ପର ଠାରୁ ବସର ମାଲିକ ମାନେ ମାସିଆରୀ କିସ୍ତି ପୈଠ କରି ପାରୁ ନାହାନ୍ତି। କୋରାପୁଟ ଜିଲ୍ଲାର ଲୋକାଲ ଓ ଦ୍ରୁତଗାମୀ ୨୦୦ବସ ଚଳାଚଳ ସଂପୁର୍ଣ୍ଣ ରୁପେ ଠପ୍ ହୋଇପଡ଼ିଛି। ଏହାରି ଫଳରେ ବସ ଚଳାଚଳ ଉପରେ ନିର୍ଭରଥିବା ୨ହଜାର କର୍ମଚାରୀଙ୍କ ପେଟପାଟଣା ବନ୍ଦ ହେବା ସହ ହାତ ବାନ୍ଧି ଘରେ ବସିଯାଇଛନ୍ତି। କର୍ମଚାରୀ ମାନେ ଦିନ ମଜୁରିଆ ଭାବେ ବସରେ କାମ କରୁଥିବାରୁ ବସ ମାଲିକ ମାନେ ବି ସହଯୋଗ କରୁନାହାନ୍ତି। ବସର ମାସିକିଆ କିସ୍ତି ବାନ୍ଦିବା ମୁସ୍କିଲ ସମୟରେ କର୍ମଚାରୀଙ୍କ ଦୁଃଖ ଜାଣିଲେ ସୁଦ୍ଧା ଦେବା ବହୁତ ମୁସ୍କିଲ ବୋଲି  ଜଣେ ବସ ମାଲିକ କହିଛନ୍ତି। ଟାୟର, ଯନ୍ତ୍ରାଂଶ, ଡିଜେଲ୍ ଆଦି ବାକିରେ ଚାଳୁଥିବା ବେଳେ ଏସବୁର ପଇସା ସୁଝିବା ବି ସମ୍ଭବ ପର ହେଉନି ବୋଲି ବସ ମାଲିକ ବାଲା ରାୟ କହିଛନ୍ତି।

ସେଭଳି  ବସ ଗୁଡିକୁ ମରାମତି କରୁଥିବା ଗ୍ୟାରେଜର କର୍ମଚାରୀ ମାନେ ବି କାମ ଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଭୋକ ଉପବାସରେ ଆମେ ଓ ଆମ ପରିବାରର ଦିନ କଟୁଛି। କେତେ ଦିନ ଏହି ଦୁଃଖ ଲାଗି ରହିବ ବୋଲି ଘରୋଇ ବସ କର୍ମଚାରୀ ସଂଘର ସଂପାଦକ ରାଜୀବ ଟାକ୍ରୀ କହିଛନ୍ତି। ବସ କର୍ମଚାରୀ ଓ ଗ୍ୟାରେଜ ମେକାନିକ୍ ମାନେ ଦିନ ମଜୁରିଆ ବର୍ଗରେ ଯାଉଥିବାରୁ ସରକାର ସହାୟତା କରିବାକୁ ଏମାନେ ନିବେଦନ କରିଛନ୍ତି।

The post ଘରୋଇ ବସ ଚଳାଚଳ ବନ୍ଦ: କିସ୍ତି ବାନ୍ଧି ପାରୁନାହାନ୍ତି ମାଲିକ, ହାତ ବାନ୍ଧି ବସିଛନ୍ତି ୨ହଜାର କର୍ମଚାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3w5hq1f