ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଏକ ତରଳ ଭେଷଜ ଅମ୍ଳଜାନ ସଂରକ୍ଷଣ ବ୍ୟବସ୍ଥାର ପ୍ରକଳ୍ପ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଥିଲେ। ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍‌ବୋଧନ ଦେଇଥିଲେ। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରି,  ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ଏବଂ ସିଡିଏମ୍‌ଓ ଡା. ପ୍ରତାପ ବେହେରା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାମାରୀର ତୃତୀୟ ଲହରକୁ ମୁକାବିଲା କରିବାକୁ ହେଲେ କୋଭିଡ୍‌ ନିୟମ ମାନିବାକୁ କହିଥିଲେ। ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ।

ଜିଲ୍ଲାପାଳ ଅମ୍ଳଜାନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସମସ୍ତଙ୍କୁ ସ୍ୱାଗତ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଉଦ୍‌ବୋଧନ ଦେବାପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ଭାରତ ବର୍ଷରେ ଗୋଟିଏ ରାଜ୍ୟ ଓଡ଼ିଶା ଯେକି ୧୭ଟି ରାଜ୍ୟକୁ ତରଳ ଅମ୍ଳଜାନ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଛି। କୋଭିଡ୍‌ ମହମାରୀକୁ ରୋକିବା ପାଇଁ କଳାହାଣ୍ଡି ଜିଲ୍ଲାକୁ ୨ଟି କୋଭିଡ୍‌ ହସ୍ପିଟାଲ ଦିଆଯିବା ସହ ଅମ୍ଳଜାନ ପ୍ରକଳ୍ପ ପାଇଁ କୃତଜ୍ଞତା ଜଣାଇଥିଲେ। ମହମାରୀକୁ ପ୍ରତିହତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ତରଳ ଅମ୍ଳଜାନ ପ୍ରକଳ୍ପ କୋଭିଡ୍‌ -୧୯ ମହମାରୀ ମୁକାବିଲା ଦିଗରେ ବିଶେଷ ସହାୟକ ହେବ।

The post ଭବାନୀପାଟଣା: ତରଳ ଭେଷଜ ଅମ୍ଳଜାନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3gTuqTc