
ବରଗଡ଼ : ଦୁଇବର୍ଷ ହେଲା ବରଗଡ଼ ଜିଲ୍ଲାରେ କରୋନା ବ୍ୟାପକ ଜୀବନ ନେଇଛି। ବରଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶାର ହଟ୍ସ୍ପଟ୍ ପାଲଟିଥିଲା। ଏବେ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩୦ହଜାର ଟପି ସାରିଲାଣି। ଗତବର୍ଷ ଏବଂ ଚଳିତ ବର୍ଷ କରୋନା ବହୁ ମୁଣ୍ଡ ନେଲାଣି। କିନ୍ତୁ ସରକାରୀ ଖାତାରେ ଏହାକୁ ଚାପି ଦିଆଯାଇଛି। ଗତବର୍ଷରୁ ଚଳିତ ମାସ ୨୫ ତାରିଖ ଯାଏ ଜିଲ୍ଲାରେ ମୋଟ୍ ୧୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟ ରହିଛି। ହେଲେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା।
‘ସମ୍ବାଦ’କୁ ମିଳିଥିବା ଠୋସ୍ ତଥ୍ୟ ଅନୁସାରେ ଏଯାଏଁ ଜିଲ୍ଲାରେ ୫୫୦ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟି ସାରିଲାଣି। ଏଥିରୁ ୨୯୬ଟି ଶବ ପୌର ପ୍ରଶାସନ ପୋଡ଼ିଛି। ଅନ୍ୟପକ୍ଷରେ ଜିଲ୍ଲାର ଦୁଇଟି ସଂସ୍ଥା ‘ନିଷ୍ଠା ପରିବାର’ ଏବଂ ‘ସଂକଳ୍ପ’ ସ୍ବେଚ୍ଛାକୃତ ଭାବେ କରୋନା ରୋଗୀଙ୍କ ଶବ ଦାହ ସଂସ୍କାର କରୁଛନ୍ତି। ସେମାନଙ୍କ ରିପୋର୍ଟ ହେଲା, ନିଷ୍ଠା ପରିବାର ଏଯାଏଁ ୯୧ଟି କରୋନା ରୋଗୀଙ୍କ ଶବ ପୋଡ଼ିଛି। ସେହିପରି ସଂକଳ୍ପ ଅନୁଷ୍ଠାନ ୧୬୩ ଜଣ କରୋନା ରୋଗୀଙ୍କ ଶବ ଦାହ ସଂସ୍କାର କରିଛି। ଏସବୁ ପରିସଂଖ୍ୟାନ ମିଶାଇଲେ ଗତବର୍ଷ ଠାରୁ ଏଯାଏଁ ମୋଟ୍ ୫୫୦ କରୋନା ରୋଗୀଙ୍କ ଶବ ଦାହ କରାଯାଇଛି। ଏହାବାଦ୍ ଜିଲ୍ଲାର ଗୁଡ଼ାଏ ରୋଗୀଙ୍କ ବାହାର ଜିଲ୍ଲାର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ପାଖାପାଖି ୨ଶହ ଉପରେ ହେବ ବୋଲି କୁହାଯାଉଛି। ଅର୍ଥାତ ଜିଲ୍ଲାରେ ୭୫୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷରୁ ଚଳିତ ମାସ ୧୦ ତାରିଖ ଯାଏଁ ପୌର ପ୍ରଶାସନ ୨୬୨ ଏବଂ ୧୦ ତାରିଖରୁ ୨୫ ତାରିଖ ଯାଏ ୩୪ଟି ଶବ ପୋଡ଼ିଛି। ସେହିପରି ସଂକଳ୍ପ ଅନୁଷ୍ଠାନ ଗତବର୍ଷ ୫୭ ଏବଂ ଏଥର ୧୦୬ଟି ଶବ ଦାହ ସଂସ୍କାର କରିଛି। ନିଷ୍ଠା ପରିବାର ଗତବର୍ଷ ୬୮ ଏବଂ ଚଳିତ ବର୍ଷ ୨୩ଟି ଶବ ପୋଡ଼ିଛି। କିନ୍ତୁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଥିଲେ ହେଁ ସରକାରୀ ଖାତାରେ ତାଙ୍କ ନାମ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନେଇ ଖୋଳତାଡ଼ କରାଯାଇଥିଲେ ହେଁ ସବୁ ମୃତ କରୋନା ରୋଗୀଙ୍କ ତାଲିକା ଦେବାକୁ କର୍ତୃପକ୍ଷ ପଛଘୁଞ୍ଚା ଦେଉଛନ୍ତି। ସହର ଉପକଣ୍ଠସ୍ଥ ପିପଲମୁଣ୍ଡା କୋଭିଡ୍ ସ୍ବର୍ଗଦ୍ବାରରେ ଗୋଟିଏ ଗୋଟିଏ ଦିନ ୧୨ରୁ ଅଧିକ ଶବ ପୋଡ଼ିବା ନଜିର ରହିଛି। ଅଥଚ ସେହିଦିନ ସରକାରୀ ଖାତାରେ ବରଗଡ଼ ଜିଲ୍ଲା କୋଭିଡ୍ ମୃତ୍ୟୁଶୂନ୍ୟ ଦର୍ଶାଯାଇଛି।
The post ବରଗଡ଼: କରୋନା ମୃତ୍ୟୁ ସଂଖ୍ୟା ଖେଳ, ପୋଡ଼ିଲେଣି ୫୫୦, ସରକାରୀ ଖାତାରେ ୧୧୫ first appeared on Sambad.from ଜିଲ୍ଲା | Sambad https://ift.tt/3xVaoO4
0 Comments