
ସମ୍ବଲପୁର : ସମ୍ବଲପୁରରେ ପୁଣି ଧଳା ଜହର(ବ୍ରାଉନ୍ ସୁଗାର୍) ଧରା ପଡ଼ିଛି। ୧୦ ନମ୍ବର ରାଜ୍ୟ ରାଜପଥ ରମ୍ପେଲା ନିକଟରୁ ରେଙ୍ଗାଲି ପୁଲିସ ୬୨ ଗ୍ରାମ ଧଳା ଜହର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏହା ସାଙ୍ଗକୁ ସେମାନେ ଯାଉଥିବା ହୋଣ୍ଡା ସିଟି କାର୍ (ଓଡି୦୨ବିକ୍ୟୁ୭୭୭୫), ନଗଦ ୫ ଲକ୍ଷ ୪୪୦ ଟଙ୍କା ଓ ୪ ଟି ମୋବାଇଲ ଫୋନ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ବ୍ରାଉନ୍ସୁଗାର୍ କାରବାର ହେଉଥିବା ସୂଚନା ପାଇ ରେଙ୍ଗାଲି ପୁଲିସ ଓ ସ୍ପେସାଲ ସ୍କ୍ବାଡର ସ୍ବତନ୍ତ୍ର ଟିମ୍ ରବିବାର ସକାଳେ ନ୍ୟୁ ରମ୍ପେଲାଠାରେ ରେଡ୍ କରିଥିଲା। ବ୍ରାଉନ୍ସୁଗାର୍ ଧରି ଏକ ହୋଣ୍ଡା ସିଟି କାର୍ରେ ଝାରସୁଗୁଡ଼ା ଯାଉଥିବା ବେଳେ ପୁଲିସ ହାତରେ ଦୁଇ ଅଭିଯୁକ୍ତ ଧରା ପଡ଼ିଥିଲେ। ରମ୍ପେଲାଠାରେ ଧରାପଡ଼ିଥିବା ଦୁଇ ଧଳା ଜହର ବ୍ୟବସାୟୀଙ୍କ ମଧ୍ୟରେ ଜଣେ ନୟାଗଡ଼ ଜିଲ୍ଲା ସରନକୁଲ ଥାନା ଗୁଡ଼ିପଡ଼ାର ଓ ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲା ଧଉଳି ଥାନା ଶିଶୁପାଳ ଗଡ଼ର। ୨ ଅଭିଯୁକ୍ତଙ୍କ ବୟାନ ଆଧାରରେ ଏଥିରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ପୁଲିସ ବରଗଡ଼ ଜିଲ୍ଲାରୁ ଗିରଫ କରିଥିଲା। ୩ୟ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ସଦର ଥାନା ସରସରା ଗ୍ରାମର ବୋଲି ଜଣାପଡ଼ିଛି।
୩ ଅଭିଯୁକ୍ତଙ୍କୁ ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ଏହା ସହିତ ରେଙ୍ଗାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ରେଙ୍ଗାଲି ଥାନାଧିକାରୀ ଧବଳେଶ୍ବର ସାହୁଙ୍କ ତତ୍ତ୍ବାବଧାନରେ ଏସ୍ଆଇ ସଞ୍ଜୟ କୁମାର ସାହୁ, ଏଏସ୍ଆଇ କୈଳାଶ ଚନ୍ଦ୍ର ପ୍ରଧାନ, ହାବିଲଦାର ଏସ୍କେ ସାହୁ, କନ୍ଷ୍ଟେବଳ ପି ବାଗ ଓ ଏନ୍ ମହାନନ୍ଦ ଏବଂ ୟୁ ନାୟକ ଏହି ଚଢଉରେ ସାମିଲ ଥିଲେ।
The post ସମ୍ବଲପୁରରେ ଧଳା ଜହର କାରବାର: ୩ ଗିରଫ, ୬୨ ଗ୍ରାମ ବ୍ରାଉନ୍ସୁଗାର୍, ୫ ଲକ୍ଷ ୪୪୦ ଟଙ୍କା ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3fY8SEE
0 Comments