ଯାଜପୁର: ଆସନ୍ତାକାଲି ସାବିତ୍ରୀ ବ୍ରତ। ଏହି ଅବସରରେ ବିବାହିତ ମହିଳାମାନେ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଦେବାଦେବୀ ମନ୍ଦିରରେ ଭିଡ ଲଗାଇଥାନ୍ତି। ବର୍ତମାନ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ଥିବା ବେଳେ କୌଣସି ପରିସ୍ଥିତିରେ ଭିଡ ଓ ପୂଜାର୍ଚ୍ଚନାକୁ ଅନୁମତି ଦିଆଯିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଯାଜପୁର ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଯାଜପୁର ତହସିଲ ଅଧିନ ଅଧିଷ୍ଠାତ୍ରୀ ଦେବୀ ମା ବିରଜା, ଯାଉଁଳି ବନ୍ଧରେ ଥିବା ମା ମଙ୍ଗଳା, ଯାଜପୁରର ଜଗନ୍ନାଥ ମନ୍ଦିର,ବରାହ ମନ୍ଦିର, ମାନସାପୋଲ ଠାରେ ଥିବା ରାମ ମନ୍ଦିରରେ ୯ ତାରିଖ ମଧ୍ୟ ରାତ୍ରରୁ ୧୦ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।

ଯାଜପୁର ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏନେଇ ନିର୍ଦ୍ଦେଶ ଦେବା ସହ ଯାଜପୁର ଟାଉନ ପୁଲିସକୁ  ଉପରୋକ୍ତ ଅଞ୍ଚଳ ଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆସନ୍ତାକାଲି ସାବିତ୍ରୀ ବ୍ରତ ପାଇଁ ଆଜି ଫଳ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା କରୋନା ସଂକ୍ରମଣରେ ରାଜ୍ୟର ତୃତୀୟ ଜିଲ୍ଲା ଭାବେ ରହିଥିବା ବେଳେ ଦୈନିକ ୪ଶହରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ତଥାପି ଓଷା ପାଇଁ କରୋନାକୁ ଭୟ ନକରି ଲୋକମାନେ ଜିନିଷପତ୍ର କିଣାକିଣି କରିବାକୁ ବାହାରକୁ ବାହାରି ଭିଡ କରିଥିଲେ। ଦୋକାନ ଗୁଡିକରେ ଏପରି ଭିଡ ଥିଲା କି ଅନେକ ଲୋକ ଏହାକୁ ଦେଖି ଭୟ କରିବା ସହ ଏହି ଭିଡ ହିଁ କରୋନା ସଂକ୍ରମଣର ମୁଖ୍ୟ କାରଣ ହେବ ବୋଲି ଆଲୋଚନା କରିଛନ୍ତି।

The post ସାବିତ୍ରୀ ପାଇଁ ଏହି ଜିଲ୍ଲାର ୫ଟି ଦେବାଦେବୀ ମନ୍ଦିରରେ ୧୪୪ ଧାରା ଜାରି first appeared on Sambad.

from ଜିଲ୍ଲା | Sambad https://ift.tt/3pAsNMV