ବରଗଡ଼ : ଲଗାତାର ବର୍ଷା ଛିଞ୍ଚିବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ପ୍ରଶାସନ ପକ୍ଷରୁ କିଛି ଜରୁରୀ ବ୍ୟବସ୍ଥା ହେଲା ନାହିଁ। ଫଳରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଭିଜୁଛି। ଟୋକନ୍‌କୁ ନେଇ ଜିଲ୍ଲାରେ ବିଭ୍ରାଟ ପ୍ରଶମିତ ହୋଇନାହିଁ। ଚାଷୀଙ୍କ ଧାନ ମଣ୍ଡିରେ ଗଦା ହୋଇଛି। ସ୍ଥାନାଭାବରୁ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଗୁରୁବାର ଠାରୁ ନିୟମିତ ବର୍ଷା ଯୋଗୁଁ ଧାନ ଭିଜିଛି। ମଣ୍ଡି ଗୋଦାମରେ ଖୁନ୍ଦାଖୁନ୍ଦି ହୋଇ ଧାନବସ୍ତା ରହିଛି। ଫଳରେ ଧାନ ରଖିବାକୁ ସ୍ଥାନାଭାବ। ଚାଷୀ ଖୋଲା ଆକାଶରେ ଧାନବସ୍ତା ପକାଇ ରଖିଛନ୍ତି। ବର୍ଷା  ଯୋଗୁଁ ଧାନ କଟ୍‌ନି ଛଟ୍‌ନି ପାଇଁ ପଥ ପରିଷ୍କାର ହୋଇଯାଇଛି। ମିଲର୍ସ ମାନେ ପୂର୍ବରୁ ଗନି ବ୍ୟାଗ୍‌ ଆଳରେ ଯାହା ଧାନ କାଟି ଦେଉଥିଲେ। ଧାନର ଆର୍ଦ୍ରତା ବଢ଼ୁଥିବା ଦର୍ଶାଇ କଟ୍‌ନି ଛଟ୍‌ନି ଆହୁରି ବଢ଼ିବା ଆଶଂକା ସୃ‌ଷ୍ଟି ହୋଇଛି।

ଝାରବନ୍ଧ ବ୍ଲକର ଝାରବନ୍ଧ, ଡଭା ଓ ଲଉଡ଼ିଦର୍ହା ସୋସାଇଟି ଅଧିନରେ ମୁଖ୍ୟାଳୟ ସହିତ ବିଲାସପୁର, କୁର୍ଲୁପାଲି ଓ କନ୍ଦାଡଙ୍ଗର ମୋଟ ୭ ଟି ମାର୍କେଟ ୟାର୍ଡ ଖୋଲିଛି। ଏଥିରେ ହଜାର ହଜାର ଧାନ ବସ୍ତା ପଡ଼ି ରହିଛି। ବର୍ଷା ଲାଗି ରହିଥିବାରୁ ଚାଷୀ ଚିନ୍ତାରେ। ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପଲିଥିନ୍‌ ଯୋଗାଇ ଦିଆଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ପଲିଥିନ୍ କିଣି ଧାନର ସୁରକ୍ଷା ଦେଇଛି। ହେଲେ ଯଦି ଲଗାତାର ବର୍ଷା ହୁଏ ତାହେଲେ ବହୁ ପରିମାଣରେ କ୍ଷତି ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଲିଥିନ ଯୋଗାଇବା ସହିତ ବର୍ଷାଜଳକୁ ମାର୍କେଟ ୟାର୍ଡରୁ ନିଷ୍କାସନ କରିବା ପାଇଁ ଦାବି ହେଉଛି। ଅତାବିରା ଆର୍‌ଏମ୍‌ସି ଅଧିନରେ ବର୍ତମାନ ଯାଏ ୫୫ ପ୍ରତିଶତ ଧାନ କିଣା ସରିଥିବା କୁହାଯାଉଛି। ଯଦି ଧାନ କିଣା ଏଭଳି ମନ୍ଥର ରୁହେ ତେବେ‌ ଚାଷୀ ତ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ, ଲକ୍ଷାଧିକ କ୍ବିଣ୍ଟାଲ ଧାନ ସଂପୂର୍ଣ୍ଣ ନଷ୍ଟ ହେବା ଆଶଂକା ରହିଛି।

The post ବର୍ଷାରେ ଭିଜୁଛି ଧାନ; ଚିନ୍ତାରେ ଚାଷୀ, ବେଫିକର୍‌ ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/3ggxDfb