
ରାଉରକେଲା : ପୁରୁଣା ଲାଇସେନ୍ସ ବାତିଲ ହୋଇ ନୂଆ ବ୍ୟବସାୟୀଙ୍କୁ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ତେଜୁଛି ବିବାଦ। ଗଳା ବାଟରେ ଦୋକାନ ହାତେଇଥିବା କିଛି ପୁରୁଣା ବ୍ୟବସାୟୀ ଲାଇସେନ୍ସ ପାଇଥିବା ନୂଆ ବ୍ୟବସାୟୀଙ୍କୁ ସହ ହାତ ମିଳାଇ ଜିଲ୍ଲାରେ ନିଜର ଦବଦବା ଜାହିର କରିବାରେ ଲାଗି ପଡିଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ମଧ୍ୟରେ କିଛି ନୂଆ ବ୍ୟବସାୟୀ ବଳି ପଡିଥିବାବେଳେ ଆଉ କିଛି ବ୍ୟବସାୟୀ ଫାଇଦା ଉଠାଉଛନ୍ତି। ବାହାର ରାଜ୍ୟର କିଛି ନୂଆ ପୁରୁଣା ବ୍ୟବସାୟୀଙ୍କ ସହ ହାତ ମିଳାଇ ଏଭଳି କରୁଥିବା ଅଭିଯୋଗ ହେଉଛି। ଲାଇସେନ୍ସ ମିଳିଥିଲେ ହେଁ ଦୋକାନ ମିଳି ନଥିବାରୁ ଆଜି ପର୍ଯ୍ୟନ୍ତ ଦୋକାନ ଖୋଲି ପାରିନାହାନ୍ତି। ଯେଉଁଠି ଦୋକାନ ଖୋଲିବାକୁ ଯାଉଛନ୍ତି, ସେଠି ଜୋରସୋର ପ୍ରତିବାଦ କରାଯାଉଛି।
ଅନ୍ୟପଟେ କିଛି ନୂଆ ବ୍ୟବସାୟୀ ବିନା ଅନୁମତିରେ ଆବାସିକସ୍ଥଳୀରେ ମଦ ଦୋକାନ ଖୋଲୁଥିବାରୁ ବିବାଦ ଉପୁଜୁଛି। ଯେଉଁଠି ଦୋକାନ ଖୋଲୁଛନ୍ତି, ନା ସେମାନଙ୍କ ନାଁରେ ଦୋକାନ ଅଛି, ନା ସେମାନଙ୍କୁ ସେହି ଦୋକାନରେ ମଦ ବିକ୍ରି କରିବାକୁ ଅନୁମତି ମିଳିଛି। ପ୍ରଶାସନିକ ସ୍ତରରେ ଏସବୁର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଉଦିତନଗରରେ ଖୋଲିବାକୁ ଯାଉଥିବା ବ୍ୟବସାୟୀ ମାର୍କେଟ କମ୍ପ୍ଲେକ୍ସରେ ମଦ ଦୋକାନ ଖୋଲିବାକୁ ଦୋକାନ କିଣିଛନ୍ତି। କିନ୍ତୁ ଏଯାଏଁ ତାଙ୍କୁ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ମିଳି ନଥିବା ଜଣାପଡିଛି। ସେକ୍ଟର-୨ ଲାଲ୍ବିଲ୍ଡିଂ ମାର୍କେଟରେ ଖୋଲିବାକୁ ଯାଉଥିବା ଦୋକାନକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କଡା ବିରୋଧ କରାଯାଇଛି। ନିକଟରେ ଆର୍ଏସ୍ପି ସହରସେବା ବିଭାଗ ସମ୍ପୃକ୍ତ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ସମ୍ପୃକ୍ତ ଦୋକାନୀ ଆର୍ଏସ୍ପି ସହରସେବା ବିଭାଗକୁ କି ଉତ୍ତର ଦେଲେ ଜଣାପଡି ନାହିଁ। ତେବେ ପ୍ରତିବାଦ ଯୋଗୁଁ ଏଠାରେ ନୂଆ ମଦ ଦୋକାନ ଖୋଲିବାକୁ ସହରସେବା ବିଭାଗ ଅନୁମତି ଦେଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅନୁରୂପ ଭାବେ ସେକ୍ଟର-୧୫ ପଡିଆରେ ପୂର୍ବରୁ ଏକ ମଦ ଦୋକାନ ଖୋଲିଥିଲା। ସେହି ଦୋକାନର ଲାଇସେନ୍ସ ବାତିଲ ହେବା ପରେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ସ୍ଥାନୀୟ ବାସିନ୍ଦା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କଡା ବିରୋଧ ଏଠି ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ଆବାସିକ ସ୍ଥଳୀ ବାସନ୍ତୀ କଲୋନି ଡିଏଭି ପଲିଟେକ୍ନି ନିକଟରେ ଏକ ଘରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଯାଉଛି। ତିନି ମହଲା କୋଠାରେ ତଳେ ମଦ ଦୋକାନ ଓ ଉପରେ ମହଲାରେ ଘର ରହିଛି। ଆର୍ଡିଏ ନିୟମ ଅନୁଯାୟୀ ଆବାସିକ କଲୋନିରେ କୌଣସି ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାର ନିୟମ ନଥିଲାବେଳେ ଏହା କିପରି ସମ୍ଭବ ହେଲା, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଉଭୟ ଦୋକାନ ଓ ମଦ ବିକ୍ରି ପାଇଁ ଆର୍ଡିଏରୁ ଅନୁମତି ମିଳିଛି କି ନାହିଁ, ତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଉପର ମହଲାରେ ଘର ଓ ତଳ ମହଲାରେ ମଦ ଦୋକାନ ଖୋଲିବାକୁ ନେଇ କଲୋନି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ବିରୋଧୀ ଏଭଳି ବେଆଇନ କାମକୁ ଅନେକ ଲୋକ ନା ପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ସୁନ୍ଦରଗଡ ଜିଲ୍ଲାରେ ମୋଟ ୪୭ ବିଦେଶୀ ମଦ ଦୋକାନ ଖୋଲିବାପକୁ ଅନୁମତି ମିଳିଥିଲା। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲଟେରି ଜରିଆରେ ଲାଇସେନ୍ସ ମିଳିଥିଲା। ଏଥି ମଧ୍ୟରେ ରାଉରକେଲା ସହରରେ କେବଳ ୨୦ଟି ଦୋକାନ ରହିଛି। କୋଏଲନଗର, ସେକ୍ଟର-୫,, ଉଦିତନଗର, ସେକ୍ଟର-୧୯,, ସେକ୍ଟର-୨, ସେକ୍ଟର-୧୫, ୭ ଆଣ୍ଡ ୮ ଏରିଆ, ଗାନ୍ଧିରୋଡ, ଡେଲିମାର୍କେଟ, ବାସନ୍ତି କଲୋନି, ବିଶ୍ରା ରୋଡ, ପାୱାର ହାଉସ ରୋଡ, ବିର୍ସା ମୁଣ୍ଡା ଛକ, ଫର୍ଟିଲାଇଜର ଇତ୍ୟାଦି ସ୍ଥାନରେ ଏସବୁ ମଦ ଦୋକାନ ରହିଛି।
The post ଉପରେ ଘର ତଳେ ମଦ ଦୋକାନ, କଲୋନି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ first appeared on Sambad.from ଜିଲ୍ଲା | Sambad https://ift.tt/3zqbfaP
0 Comments