
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଚାଷୀ ତାର ଉତ୍ପାଦିତ ଧାନ ବିକ୍ରି କରିପାରୁ ନାହିଁ। ଫଳରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି କୃଷକ। ଏପଟେ କୃଷକ ସଂଗଠନ ଆନ୍ଦୋଳନ କଲେ ତାଙ୍କ ବିରୋଧରେ ମାମଲା ରୁଜୁ କରୁଛି ପୁଲିସ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଣ୍ଠକୁ ଶତପଥୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ବୀରମହାରାଜପୁର ଉପଖଣ୍ଡର ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିଥିଲେ। ସେମାନେ ବୀରମହାରାଜପୁର ବ୍ଲକ ଉଫୁଲା, ହିଲୁଙ୍ଗ, କଦଳୀପାଲି, ଉଲୁଣ୍ଡା ବ୍ଲକ୍ର ଧର୍ମଶାଳା, ରସ୍କା, କଳାପଥର, ଜାଲୋଏ, କାଦୋଦର ସହିତ ଅନ୍ୟାନ୍ୟ ମଣ୍ଡି ବୁଲି ଦେଖିଥିଲେ। ସେଥିମଧ୍ୟରୁ କଳାପଥର ମଣ୍ଡିରେ ୮ ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି, ଜାଲୋଏ ମଣ୍ଡିରେ ୬ ହଜାର କୁଇଣ୍ଟାଲ, କଦଳୀପାଲି ମଣ୍ଡିରେ ଦୁଇ ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି। ସବୁଠାରୁ କାଦୋଦର ମଣ୍ଡି ଅଞ୍ଚଳ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଯେଉଁ ଚାଷୀ ଟୋକନ୍ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ୭୨ ଜଣ ଚାଷୀଙ୍କ ଟୋକନ୍ ବାତିଲ ହୋଇଯାଇଛି। ଯାହାଫଳରେ ଚାଷୀମାନେ ତାଙ୍କ ଧାନ ରାସ୍ତା ଉପରେ ପକାଇ ବସିଛନ୍ତି । ଏପରିକି ଏକ ବ୍ରିଜ୍ ଉପରେ ଅନେକ ଧାନ ବସ୍ତା ପଡ଼ି ରହିଛି।
ଟୋକନ୍ ପ୍ରଥମେ ଆସିବ ବୋଲି ଚାଷୀମାନଙ୍କୁ କୁହିଯାଉଥିଲା, କିନ୍ତୁ ଯୋଗାଣ ବିଭାଗ ଏବେ ହାତ ଟେକି ଦେଇଛି। ଟୋକନ୍ ବ୍ୟବସ୍ଥା ଭୁବନେଶ୍ଵର ହେଉଥିବାରୁ ଆମେ କିଛି କରିପାରିବୁ ନାହିଁ ବୋଲି ଏବେ ଚାଷୀମାନଙ୍କୁ କୁହାଯାଇଛି। ଫଳରେ ଚାଷୀମାନେ ଏବେ ମୁଣ୍ଡରେ ହାତ ମାରି ବସିଛନ୍ତି। ଏପଟେ ବର୍ଷା ଯୋଗୁଁ ଧାନ ଭିଜି ଗଜା ହେବାକୁ ବସିଲାଣି। ତୁରନ୍ତ ଏହାର ସମାଧାନ ନହେଲେ ଶେଷରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ବୋଲି ସଙ୍ଗଠନର ସଭାପତି ବୈକୁଣ୍ଠକୁ ଶତପଥୀ କହିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ହିମାଂଶୁ ଭୋଇ, କୋଷାଧ୍ୟକ୍ଷ ପଦ୍ମଲୋଚନ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଆସନ୍ତାକାଲି ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍ର ବିଭିନ୍ନ ମଣ୍ଡି ଅନୁଧ୍ୟାନ କଲାପରେ କମିଟି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ କହିବ। ଏହି ସମାସ୍ୟାର ସମାଧାନ କରିବାରେ ପ୍ରଶାସନ ବିଫଳ ହୁଏ ତାହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲା କୃଷକ ସଂଗଠନର ସଭାପତି ଶ୍ରୀ ଶତପଥୀ।
The post ବିଭିନ୍ନ ଧାନ ମଣ୍ଡି ବୁଲି ଅନୁଧ୍ୟାନ କଲା ଜିଲ୍ଲା କୃଷକ ମୋର୍ଚ୍ଚା first appeared on Sambad.from ଜିଲ୍ଲା | Sambad https://ift.tt/3q98syK
0 Comments