ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ମୁସ୍କୁଟି ପଞ୍ଚାୟତ ଅଧୀନ କୁଟେନ (ବାଞ୍ଜିପଡ଼ା) ଠାରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ପଡ଼ିଆକୁ କିଛି ଲୋକ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗ୍ରାମବାସୀ ଓ ମୁସ୍କୁଟି ପଞ୍ଚାୟତ ସରପଞ୍ଚ ତଥା କେସିଙ୍ଗା ରେଞ୍ଜ୍‌ ବନାଞ୍ଚଳ ଅଧିକାରୀଙ୍କ ସହଯୋଗରେ ୧୪.୮.୨୦୧୬ ରେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷରୋପଣ ହୋଇଥିଲା। ଉକ୍ତ ସରକାରୀ ଜମି ଗ୍ରାମ୍ୟ ଜଙ୍ଗଲରେ ଶାଗୁଆନ ଗଛ ବି ଲଗାଯାଇଛି। ମାତ୍ର ଉକ୍ତ ଗ୍ରାମର ଛବି ପାତ୍ର, ଭଗବାନ ପାତ୍ର, ହରି ପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ନୃପମଣି ଧରୁଆ, ଭାଗୀରଥି ସା, କୃପାସିନ୍ଧୁ ସା ପ୍ରମୁଖ ବୃକ୍ଷରୋପଣ ହୋଇଥିବା ଗ୍ରାମ୍ୟ ଜଙ୍ଗଲରୁ କିଛି ଗଛ କାଟିଦେଇଥିଲେ। ଏହାସହ ଜଙ୍ଗଲରେ କପା ଚାଷ ମଧ୍ୟ କରିଥିଲେ। ଏହି ବିଷୟକୁ ନେଇ ପଲମ ଫାଣ୍ଡିରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍ ତଦନ୍ତ ନକରି ଚୁପ୍ ରହିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଫଳରେ ଗ୍ରାମରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଏନେଇ ଉକ୍ତପଡ଼ାରେ ମା’ ଧରଣୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମଧୁସୂଦନ ପାତ୍ରଙ୍କ ସଭାପତିତ୍ୱରେ ଓ ସମ୍ପାଦକ ବିଶ୍ୱାମିତ୍ର ଧରୁଆ, ଭୀମସେନ ଯୋଷୀ, ଜଗତରାମ ଧରୁଆ, ସମ୍ୱାରୁ ଧରୁଆ, ମାଧବ ଧରୁଆ, ଡୋଳାମଣି ଧରୁଆ, ଡୋଳାମଣି ଛତର, କ୍ଷୀରସିନ୍ଧୁ ଛତର, ଗୁଣସାଗର ବାଗ, ଝଜ ନାଏକ, କେଶବ ଧରୁଆ, ଟଙ୍କଧର ଧରୁଆ, ଅକ୍ରୂର ତାଣ୍ଡି, ଦେବରାଜ ସୁନା, ପୁରନ୍ଦର ପାୟାସିଂ, ଟିକେରାମ ଧରୁଆ ଓ ଲୋକନାଥ ଧରୁଆ ପ୍ରମୁଖଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଜବରଦଖଲରେ ଥିବା ଗ୍ରାମ୍ୟ ଜଙ୍ଗଲର ପୁନଃ ଉଦ୍ଧାର ବାବଦରେ ବୈଠକରେ ଆଲୋଚନା ହୋଇଥିଲା।

ସୂଚନାଥାଉକି ଉକ୍ତ ଗ୍ରାମ୍ୟଜଙ୍ଗଲ ଜମିରେ ବୃକ୍ଷରୋପଣ ସତ୍ତ୍ୱେ ଜୋର୍‌ ଜବରଦସ୍ତ ଚାଷ କରିଥିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ୨.୧୦.୨୦୧୮ରେ ଏକ ରାଜିନାମା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏବେ ପୁଣି ସେହି ଗ୍ରାମ୍ୟ ଜଙ୍ଗଲରେ ଜବରଦଖଲକାରୀମାନେ ଚାଷ କରି ବିବାଦ ସୃଷ୍ଟି କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ, ନର୍ଲା ତହସିଲଦାର ତଥା ପଲମ ଫାଣ୍ଡିରେ ଅଭିଯୋଗ ହୋଇଥିଲେ ମଧ୍ୟ ଜବରଦଖଲକାରୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏନେଇ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡାଙ୍କ ମତାମତ ନେବାରୁ ଜଙ୍ଗଲ ବିଭାଗ ଅଧୀନରେ ଗ୍ରାମ୍ୟ ଜଙ୍ଗଲ ରହୁଥିବାରୁ ଜଙ୍ଗଲ ବିଭାଗ ସହିତ ଯୋଗାଯୋଗ କରିବାକୁ କହିଥିଲେ। ଜଙ୍ଗଲ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ୍ ଉଠାଇନଥିଲେ।

The post ଜବରଦଖଲରେ ଗ୍ରାମ୍ୟ ଜଙ୍ଗଲ, ପୁନରୁଦ୍ଧାର ପାଇଁ ବୈଠକ first appeared on Sambad.

from ଜିଲ୍ଲା | Sambad https://ift.tt/2U8sn4R