
ତେଲକୋଇ: ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ସେକ୍ସନର ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଉତ୍ପାତ କରିଛନ୍ତି। ରାତି ପ୍ରାୟ ଗୋଟାଏବେଳେ ଗୋଳାଗାଡ଼ିଆ ନୂଆସାହିରେ ହାତୀପଲ ପଶି ଜୟନ୍ତୀ ମୁଣ୍ଡାଙ୍କ ଦୁଇବଖରା ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ପରିବାର ଲୋକଙ୍କ କୌଣସି କ୍ଷତି ହୋଇନାହିଁ। ଗ୍ରାମବାସୀ ମିଶି ହାତୀ ଘଉଡ଼ାଇଛନ୍ତି। ତେଲକୋଇ ରେଞ୍ଜରେ ପୂର୍ବରୁ ୪୦ଟି ହାତୀ ଥିଲେ।
ଗତକାଲି ୩୦ଟି ହାତୀ ପଡ଼ୋଶୀ ଅନୁଗୁଳ ଜିଲ୍ଲା ପାଲଲହଡ଼ା ରେଞ୍ଜକୁ ପଳାଇଛନ୍ତି। ଏବେ ୧୦ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଭୀମକାଣ୍ଡ ସରପଞ୍ଚ ନିରଞ୍ଜନ ନାୟକ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଦୁଇଦିନ ତଳେ ହାତୀପଲ ଏହି ଗ୍ରାମର ବିଷ୍ଣୁ ମହାକୁଡ଼ଙ୍କ ୩ ବଖରା ଘର ଭାଙ୍ଗି ଧାନଚାଉଳ ଖାଇଥିଲେ। ବନ ବିଭାଗ ପକ୍ଷରୁ ବିଷ୍ଣୁଙ୍କ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ କହିଛନ୍ତି, ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ରାତିରେ ଜନବସତି ଆଡ଼କୁ ଯେପରି ହାତୀପଲ ନଆସିବେ ସେଥିପାଇଁ ହାତୀ ସ୍କ୍ବାଡ୍ ଉଦ୍ୟମ ଜାରି ରଖିଛନ୍ତି। ତଥାପି ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।
The post ଗୋଳାଗାଡ଼ିଆରେ ଘର ଭାଙ୍ଗିଲେ ହାତୀପଲ first appeared on Sambad.from ଜିଲ୍ଲା | Sambad https://ift.tt/3iUf3eU
0 Comments