
ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଶେଷ ସ୍ପର୍ଶ ଦେଉଛନ୍ତି ରଥ ନିର୍ମାଣ ସେବକ। ପୋଟଳ, ପ୍ରଭା କାମ ଶେଷ ପରେ ଗୁରୁବାର ସଂଧ୍ୟାରେ ତିନି ରଥର ଦୁଆର ବେଢ଼ା ଉଠିଛି। ତିନି ରଥର ୪ଟି ଲେଖାଏଁ ୧୨ଟି ଦୁଆର ବେଢ଼ା ସଂଯୋଗ ହୋଇଛି। ୨୪ଟି ନାଟଗୋଡ଼ ଦୁଆର ବେଢ଼ାରେ ସଂଯୋଗ ହୋଇଛି। ସେପଟେ ତିନି ରଥର ସାରଥୀ ଓ ପାର୍ଶ୍ବ ଦେବାଦେବୀ ରଙ୍ଗ କାର୍ଯ୍ୟ ବି ଜୋର୍ସୋରରେ ଆଗେଇ ଚାଲିଛି।

ଗୁରୁବାର ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପ୍ରଭା ଉପରି ଭାଗ କଳସ, ଦୁଇପଟରେ ଦୁଇଟି ସିଂହ ସହ ରାହୁରୂପ, ତଳ ଭାଗ ଦୁଇପଟରେ ପଦ୍ମଡାଳି, ଲତା ଓ ନିମ୍ନ ଭାଗ ଦୁଇପଟରେ ମଗର ମୁଖ ଚିତ୍ର ଅଙ୍କନ ପରେ ରୂପ ଖୋଦେଇ ଆଜିଠାରୁ ଆରମ୍ଭ ହୋଇଛି। ପଟା ପଡ଼ି ତିନି ରଥର ସିଂହାସନ ପାଇଁ ବେଦି ନିର୍ମାଣ ଶେଷ ହୋଇଛି। ଘୋଡ଼ା ସଂଯୋଗ ତଥା ଏହାକୁ ମଜବୁତ୍ ଭାବେ ବାନ୍ଧି ରଖିବା ପାଇଁ ଈଷ ନିର୍ମାଣ ଶେଷ ହୋଇଥିଲା। ଆଜି ଈଷରେ ବିନ୍ଧ କାର୍ଯ୍ୟ ସରି ସେଥିରେ ପଖିଆ(ଢ଼ିଙ୍କି ପରି) ଏବଂ ଗୁଣ୍ଠି ସଂଯୋଗ ହୋଇଛି। ଏହି ଈଷ ପରିଛା ଉପର ଓ ସାଲଗୁଜ ପାର୍ଶ୍ବ ଦେଇ ବ୍ରେକ୍ ଚକ ଓ ଦ୍ବିତୀୟ ଚକ ମଧ୍ୟ ଭାଗରେ ସଂଯୋଗ ହେବ। ସଂଯୋଗ ସମୟରେ ଘୋଡ଼ାକୁ ଟେକି ଧରିବା ପାଇଁ ଦୁଇଟି ଲେଖାଏଁ, ୬ଟି ଆଶା ବାଡ଼ି ନିର୍ମାଣ ଶେଷ ହୋଇଛି। ରଥ ଅମିନ ରଥର ଚାରିପାର୍ଶ୍ବରେ ଆବଶ୍ୟକ ହଂସପଟା, ୬ଟି କନ୍ୟା ପଟା କଟା ପାଇଁ ରଥ ମହାରଣାଙ୍କୁ ପଟା ଯୋଗାଇ ଦେଇଛନ୍ତି।

କଟା କାମ ଶେଷ ପରେ ରଞ୍ଜା ମରା ହୋଇ ଚିତ୍ର ଅଙ୍କନ ହେବ। ଚିତ୍ରକର ସେବକମାନେ ଓଲଟ ଶୁଆ, କଳସ, ଋଷି ପଟା, ଦୁଆର ବେଢ଼ା, ଅଁଳା ବେଢ଼ାରେ ରଙ୍ଗ କାର୍ଯ୍ୟ ଶେଷ କରି କନ୍ୟା ପଟା, ପାର୍ଶ୍ବ ଦେବାଦେବୀ, ସଖୀ ଆଦିରେ ରୂପ ଅଙ୍କନ କାମ ଜାରି ରଖିଛନ୍ତି। ତିନି ରଥର ପଟାଗୁଜ, କୋଣଗୁଜରେ ଖୋଦିତ ରୂପଗୁଡ଼ିକରେ ରଙ୍ଗ କାର୍ଯ୍ୟ ଜାରି ରହିଛି। ଦୋଳବେଦି କମାରଶାଳରେ ଓଝା ସେବକମାନେ ସାରଥି ବାଗିଆ କଣ୍ଟା, ଘୋଡ଼ା ବାଗିଆ କଣ୍ଟା ନିର୍ମାଣ ସହ ଦୁଆର ବେଢ଼ା ସଂଯୋଗ ପାଇଁ କଣ୍ଟା ନିର୍ମାଣ କରି ମହାରଣା ସେବକଙ୍କୁ ଯୋଗାଇ ଦେଇଛନ୍ତି। ଦରଜୀ ସେବକମାନେ ରଥ ବତା କନା କାଟିବା ସହ ଲେନ୍ ଲଗାଇବା କାମ ଜାରି ରଖିଛନ୍ତି।

from ଜିଲ୍ଲା | Sambad https://ift.tt/2Tj6XlH
0 Comments