ରାଉରକେଲା: ଦୀର୍ଘ ୭ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ବାଲୁଘାଟସ୍ଥିତ କୃଷକ କାମ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ କୃ୍ଷକ ବଜାର ନିର୍ମାଣ ପାଇଁ ଅର୍ଥ ବ୍ୟୟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨୫ କୋଟି ମିଳିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଡିଏମ୍‌ଏଫ୍‌ ରାଉରକେଲା ସ୍ମାର୍ଟ ସିଟିର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ଚିଠି ଲେଖି ପ୍ରକଳ୍ପର ବିସ୍ତୃତ ତଥ୍ୟ (ଡିପିଆର୍‌) ଦେବାକୁ କହିଛନ୍ତି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଦ୍ବାରା ଏହି କାମ କରାଯିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଖୁବ୍‌ଶୀଘ୍ର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ସମ୍ପାଦଙ୍କ ଦ୍ବାରା ଡିପିଆର୍‌ ପ୍ରସ୍ତୁତି କରି ପ୍ରଶାସନିକ ଅନୁମତି ପାଇଁ ଚିଠିରେ ଦର୍ଶାଯାଇଛି।

ତେବେ ବାରମ୍ବାର ବିରୋଧ ହୋଇ ଆସୁଥିବା ବାଲୁଘାଟ କୃଷକ ବଜାର ଆଗାମି ଦିନରେ ନିର୍ମାଣ ହେଉଛି ନା ପୂର୍ବପରି ଅଧପନ୍ତରିଆ ପାଚେରୀରେ ସୀମିତ ରହୁଛି, ତା ଉପରେ ସହରବାସୀଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସହ କୃଷକମାନଙ୍କର ଆର୍ଥିକ ବିକାଶ ପାଇଁ ବାଲୁଘାଟ ନିକଟରେ ପ୍ରାୟ ୧୦ ଏକର ପରିମିତ ଜାଗାରେ ଆର୍‌ଏମ୍‌ସି ପକ୍ଷରୁ ହୋଲ୍‌ସେଲ୍‌ କୃଷକ ବଜାର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଗତ ୨୦୧୪ ଫେବ୍ରୁଆରି୨୩ରେ ଶିଳାନ୍ୟାସ କରିଥିଲେ। ସରକାରଙ୍କ ପକ୍ଷରୁ ପାଚେରୀ ଓ ଅନ୍ୟାନ୍ୟ କାମ ପାଇଁ ୯୮ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପାଚେରୀ ନିର୍ମାଣ କାମ ଆରମ୍ଭ ହେବାର କିଛି ଦିନ ପରେ ବିସ୍ଥାପିତମାନେ ନିଜର ଜାଗା ବୋଲି ଦାବି କଡା ବିରୋଧ କରିଥିଲେ। ଫଳରେ ଅଧପନ୍ତରିଆ ପାଚେରୀ କୃଷକ ବଜାର ନିର୍ମାଣ କାମ ଅଟକି ରହିଥିଲା। ‌ସେବେ ଠାରୁ ଆଜି ପର୍ଯ୍ୟନ୍ତ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ପୁଣି ଡିଏମ୍‌ଏଫ୍‌ ପାଣ୍ଠିରୁ କୃଷକ ବଜାର ନିର୍ମାଣ ପାଇଁ ସ୍ମାର୍ଟ ସିଟି ସିଇଓଙ୍କୁ ଚିଠି କରାଯାଇଛି।

The post ନିର୍ମାଣ ହେବ ହୋଲ୍‌ସେଲ୍‌ କୃଷକ ବଜାର, ସ୍ମାର୍ଟସିଟି ସିଇଓଙ୍କୁ ଡିପିଆର୍‌ ମାଗିଲା ଡିଏମ୍‌ଏଫ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3xwNvjX