
ଭବାନୀପାଟଣା/ରୁପ୍ରା: କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ଧରଣର ବାଘଛାଲ ରାକେଟ ଧରା ପଡ଼ିଛି। ଗତ ଦୁଇଦିନ ମଧ୍ୟରେ ଉଭୟ ଦକ୍ଷିଣ ଓ ଉତ୍ତର ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇ ୯ଟି ବାଘଛାଲ ଓ ଦୁଇଟି ବାଘନଖ ଜବତ କରାଯାଇଛି। ଏହି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ପ୍ରକାଶ ଯେ, ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ, ଛତିଶଗଡ଼ ବନ ବିଭାଗ ଏବଂ ଓଡ଼ିଶା ବନ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ଚଢ଼ଉରେ କଳାହାଣ୍ଡି ଜିଲ୍ଲାର ୭ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଅନ୍ୟମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ କେନ୍ଦ୍ରୀୟ ବନ୍ୟପ୍ରାଣୀ ବିଭାଗ ତଦନ୍ତ ଜାରି ରଖିଛନ୍ତି। ଉତ୍ତର ବନଖଣ୍ଡ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବେପାରୀ ମଧ୍ୟରେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ଅମାଠର କାର୍ତ୍ତିକ ରଣାଙ୍କୁ ଗିରଫ କରାଯାଇଥିଲା। ମନୋଜ ପାଖରୁ ୩ଟି ବାଘଛାଲ ଜବତ କରାଯାଇଥିଲା। ସେହିପରି ଶନିବାର ରଙ୍ଗାଚରଣ ଭୋଇଙ୍କ ପାଖରୁ ଆଉ ୪ଟି ବାଘଛାଲ ଜବତ କରାଯାଇଛି। ଅନ୍ୟପକ୍ଷରେ ଶନିବାର ଦକ୍ଷିଣ ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇ ୩ ଜଣ ବାଘଛାଲ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କେଗାଁର ଭୁଲିଆର ବାଗ, କୋଦଣ୍ଡ ଗୌଡ଼ ଓ ଉଆଁସୁ ଜାନୀ। ସେମାନଙ୍କ ପାଖରୁ ୨ଟି ବାଘଛାଲ ଜବତ କରାଯାଇଛି। ଏହି ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଛି ବୋଳି ଦକ୍ଷିଣ ବନଖଣ୍ଡ ଅଧିକାରୀ ନୀତିଶ କୁମାର ପ୍ରକାଶ କରିଛନ୍ତି।
The post କଳାହାଣ୍ଡିରେ ବାଘଛାଲ ତସ୍କର ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ ୯ ଛାଲ ଜବତ, ୭ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3yJ2qaX
0 Comments