
ସମ୍ବଲପୁର : ନିଜ କଷ୍ଟୋପାର୍ଜିତ ଧାନ ବିକି ପ୍ରାପ୍ୟ ନମିଳିବା ଏବଂ ଅର୍ଥାଭାବ ଯୋଗୁ ଉପଯୁକ୍ତ ଚିକିତ୍ସା ଅଭାବରୁ ପିତା ଦିଲେଶ୍ବର ପଟେଲଙ୍କ ପରେ ପୁଅ ସୁନୀଲ ପଟେଲଙ୍କ ମୃତ୍ୟୁ ଘଟଣାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ଗୁରୁତ୍ବର ସହିତ ନେଇଛନ୍ତି। ବାମରାର କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖାଯାଇଥିବାବେଳେ ସୁପ୍ରିମ କୋର୍ଟ ଏହାକୁ ଜନସ୍ବାର୍ଥ ମାମଲାରେ ରୂପାନ୍ତରିତ କରିଛନ୍ତି। ଏଭଳି ସ୍ଥିତିରେ ସରକାରୀ ବାବୁଙ୍କ ଅବହେଳା ଏବେ ରାଜ୍ୟ ସରକାରଙ୍କୁ ଅଡ଼ୁଆ ପରିସ୍ଥିତି ସମ୍ମୁଖୀନ ହେବାକୁ ପଡ଼ିପାରେ। ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ ଦୌଡ଼ିବାକୁ ପଡ଼ିବ।
ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଭଗପଡ଼ା ଗାଁର ଚାଷୀ ଦିଲେଶ୍ବର ପଟେଲ ବୃଦ୍ଧାବସ୍ଥା ଯୋଗୁଁ ଏକମାତ୍ର ପୁଅ ସୁନୀଲଙ୍କୁ ଧାନ ବିକ୍ରି ପାଇଁ ଅଧିକୃତ କରିଥିଲେ। ଗତ ୧୬ ଡିସେମ୍ବର ୨୦୨୦ ଉଚ୍ଚକାପାଟ ମଣ୍ଡିରେ ଧାନ ବିକ୍ରି ନିମନ୍ତେ ଟୋକନ୍ ଦିଆଯାଇଥିବା ବେଳେ ୫ ଜାନୁଆରି ୨୦୨୧ରେ ସୁନୀଲ ମଣ୍ଡିକୁ ୬୬.୪୫ କୁଇଣ୍ଟାଲ ଧାନ ଆଣିଥିଲେ। ତେବେ, ଏହି ଧାନ ଏକ ସପ୍ତାହ ପରେ ଗତ ୧୨ ଜାନୁଆରି ୨୦୨୧ରେ ବିକ୍ରି ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ମିଳିବାର ନିୟମ ଥିବା ସତ୍ତ୍ବେ ପ୍ରାପ୍ୟ ପ୍ରଦାନରେ ବିଳମ୍ବ କରାଯାଇଥିଲା। ଏଥିପାଇଁ ବାରଂବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ବି କିଛି ଲାଭ ହୋଇନଥିଲା। ଏପଟେ ମଧୁମେହ, ହୃଦ୍ରୋଗ ଆଦିରେ ପୀଡ଼ିତ ଦିଲେଶ୍ବର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅର୍ଥାଭାବ ତାଙ୍କ ଚିକିତ୍ସାରେ ଅନ୍ତରାୟ ସୃ୍ଷ୍ଟି କରିଥିଲା। ଧାର କରଜ କରି ସୁନୀଲ ପିତା ଦିଲେଶ୍ବରଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେଠାରୁ ବୁର୍ଲା ଏବଂ ପରେ ପୁଣି ରାଉରକେଲାର ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ପିତାଙ୍କୁ ବଞ୍ଚାଇପାରିଲେନି ସୁନୀଲ। ଗତ ମେ’ ୫ ତାରିଖରେ ଦିଲେଶ୍ବରଙ୍କ ମୃତ୍ୟୁ ଘଟିଥିଲା।
ପିତାଙ୍କ ମୃତ୍ୟୁ ପରେ ନିଜ ମୁଣ୍ଡ ଉପରେ କରଜ ବୋଝ ସହିତ ଶୁଦ୍ଧିକ୍ରିୟା ନିମେନ୍ତ ଅର୍ଥର ଅଭାବଜନିତ ଯନ୍ତ୍ରଣା ସହି ପାରିନଥିଲେ ସୁନୀଲ। ପିତାଙ୍କ ମୃତ୍ୟୁର ୧୨ଦିନିଆ ଶ୍ରାଦ୍ଧକ୍ରିୟା ରୀତିନିତି ସାରିବା ପୂର୍ବରୁ ଗତ ମେ’ ୧୫ ତାରିଖ ଦିନ ସୁନୀଲଙ୍କ ପ୍ରାଣ ହରାଇଥିଲେ। ଏଥି ସହିତ ତାଙ୍କ ପରିବାର ଏବେ ପୁରୁଷଶୂନ୍ୟ ହୋଇଯାଇଛି। ଗତ ୧୮ ତାରିଖ ଦିନ ଜୟ କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନର ଆବାହକ ଯୋଗବିହାରୀ ପରିଡ଼ା ଏ ସଂକ୍ରାନ୍ତରେ ଜାତୀୟ ମାନବ ଅଧିକାର ଆୟୋଗ ସହିତ ମାନ୍ୟବର ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ପତ୍ର ଲେଖିଥିଲେ। ଘଟଣାର ତଦନ୍ତକରି ଦିଲେଶ୍ବର ଓ ସୁନୀଲଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମାନବାଧିକାରର ହନନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ, ଦିଲେଶ୍ବରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଆଦି ପାଇଁ ଆଦେଶ ଦେବାକୁ ନିବେଦନ କରିଥିଲେ।
ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଶ୍ରୀ ପରିଡ଼ାଙ୍କ ଚିଠି ଆଧାରରେ ଗତ ୯ ଜୁଲାଇରେ ସୁପ୍ରିମ କୋର୍ଟରେ ଜନସ୍ବାର୍ଥ ମାମଲା(୫୫୭୬୧/ଏସ୍ସିଆଇ/ପିଆଇଏଲ୍(ଇ)/୨୦୨୧ ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି କୃଷକ ସଂଗଠନ ପକ୍ଷରୁ ଯୋଗାଣ ବିଭାଗ ସହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଠିକଣା ସମୟରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇନଥିଲା।
The post ଧାନର ପ୍ରାପ୍ୟ ନପାଇ ଅର୍ଥାଭାବରୁ ବାପ-ପୁଅଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା first appeared on Sambad.from ଜିଲ୍ଲା | Sambad https://ift.tt/3yJPge2
0 Comments