ବାଉଁଶୁଣି : ଏକତା ହିଁ ବଳ ଏହାକୁ ସତ୍ୟ ପ୍ରମାଣିତ କରିଛନ୍ତି ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମବାସୀ। ଗ୍ରାମର ମାଁ ମାହେଶ୍ୱରୀ ଯୁବକ ସଂଘର ସଦସ୍ୟ ଓ ଗ୍ରାମବାସୀ ମିଶି ଦୀର୍ଘ ୪ କିମି ରାସ୍ତାକୁ ଶନିବାର ନିଜ ଉଦ୍ୟମରେ ମରାମତି କରିଛନ୍ତି। ବହୁ ଦିନ ହେଲା ସେମାନଙ୍କ ଗ୍ରାମରୁ ଜାତୀୟ ରାଜପଥ ୫୭କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲେ ହେଁ ଏହାର ମରାମତି ହୋଇ ପାରୁନଥିଲା। ଏଥିଯୋଗୁଁ ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏନେଇ ସେମାନେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ଏପରିକି ଜନପ୍ରତିନିଧିଙ୍କ ଠାରେ ନିଜ ଗ୍ରାମ ରାସ୍ତାର ଦୂରବସ୍ଥା ଓ ତାହାର ମରାମତି ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ଶେଷର ଗ୍ରାମର ଯୁବକମାନେ ଏକ ବୈଠକ କରି ନିଜ ରାସ୍ତା ନିଜେ ମରାମତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଟ୍ରାକ୍ଟର ମାଲିକ ଅଚ୍ୟୁତାନନ୍ଦ ପ୍ରଧାନ, ରମେଶ ପ୍ରଧାନ, ପିଣ୍ଟୁ ମହାକୁଳ, କ୍ଷୀରାନ୍ନବ ଘିବେଲା, ଅଜିତ ପ୍ରଧାନ, ସୁମନ୍ତ କର୍ମୀ ଓ ଜେସିବି ମାଲିକ ପ୍ରଭାତ ମହାକୁଳ ନିଜର ଜେସିବି ଓ ଟ୍ରାକ୍ଟରଗୁଡ଼ିକୁ ଏହି କାମରେ ମାଗଣାରେ ନିୟୋଜିତ କରିଥିଲେ। ବିକି ମହାକୁଳ, ଚାପଧାରୀ ପ୍ରଧାନ, ଉମେଶ ବାହୁକ, ଜଗବନ୍ଧୁ ମହାକୁଳ, ଅଖଣ୍ଡ ମହାକୁଳ, ଲାଲମଣି ଡାଙ୍ଗ, ଗଜେନ୍ଦ୍ର ବାରିକ ଓ ୱାର୍ଡ଼ସଭ୍ୟ ପୁରନ୍ଦର ଗାଈଗୌରିଆ ପ୍ରମୁଖ ଶ୍ରମଦାନ କରି ରାସ୍ତା ମରାମତିରେ ସହଯୋଗ କରିଥିଲେ।

The post ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଜୁରାମୁଣ୍ଡା ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/36qebXZ