
ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ବ୍ରାହ୍ମଣିପାଲି ପଂଚାୟତ ବ୍ରାହ୍ମଣିପାଲି ଓ କାଶଲପୁର ଗ୍ରାମରେ ଚାଷୀମାନେ କିପରି ସୁବିଧାରେ ଜମିରେ ଜଳ ସେଚନର ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ୍ ବୋରୱେଲ (ଗଭୀର ନଳକୂଅ) ୨୦୧୪ ମସିହାରେ ଖନନ କରାଯାଇଥିଲା। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବ ପୋତା ସହ ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନାହିଁ। ହେଲେ ଚାଷୀଙ୍କ ପାଖକୁ ଦୀର୍ଘ ୬ ବର୍ଷ ପରେ ଅର୍ଥାତ ଗତ ଶନିବାର ଦିନ ଚାଷୀଙ୍କ ପାଖକୁ ହଜାର ହଜାର ଟଙ୍କାର ବିଲ ଆସିଛି। ଯାହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡ଼ିଛି।
ବୌଦ୍ଧ ଉଠା ଜଳସେଚନ ବିଭାଗ ପକ୍ଷରୁ ୨୦୧୪-୧୫ ମସିହାରେ ବ୍ରାହ୍ମଣିପାଲି ଓ କାଶଲପୁର ଗ୍ରାମରେ ଗଭୀର ନଳକୂଅ ଖନନ କରାଯାଇଥିଲା। ଏଯାଏ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। ବିଭାଗର ଖାମଖିଆଲି ମନଭାବ ଯୋଗୁଁ ମଟର ବସି ପାରିଲା ନାହିଁ। ବାରମ୍ବାର ଚାଷୀ ଉଠା ଜଳସେଚନ ବିଭାଗର ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ଚାଷୀଙ୍କ କିଛି ସୁଫଳ ହୋଇ ପାରିଲେ ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ବିନା ବିଦ୍ୟୁତ୍ ସଂଯୋଗରେ ବି ବିଲ୍ ଆସିଲା। କାଶଲପୁର ଗ୍ରାମର ରଂଜିତ ପ୍ରଧାନଙ୍କ ନାମରେ ୨୦ ହଜାର ୨୧୭ ଟଙ୍କା, ବିପିନ ପ୍ରଧାନଙ୍କ ନାମରେ ୨୨ ହଜାର ୫୬ଟଙ୍କା, ଦଶରଥ ବାଘଙ୍କ ନାମରେ ୧୮ ହଜାର ୪୯୮ ଟଙ୍କା ଓ ତୀର୍ଥ ମୋହନ ବାଘଙ୍କ ନାମରେ ୧୮ ହଜାର ୪୯୫ ଟଙ୍କା ବିଲ୍ ଆସିଛି। ନିକଟ କାଶଲପୁର ଗାଁରେ ମଧ୍ୟ ସମାନ ଅବସ୍ଥା। ଏହି ଗ୍ରାମର ରମେଶ ଦାସଙ୍କ ନାମରେ ୫୫ ହଜାର ୮୦୪ ଟଙ୍କା, ସବିତା ଦାସଙ୍କ ନାମରେ ୨୭ ହଜାର ୮୦୪ ଟଙ୍କା, ସୁରେଶ ଚନ୍ଦ୍ର ଦାସଙ୍କ ନାମରେ ୨୨ ହଜାର ୬୦୫ ଟଙ୍କା, ପଦ୍ମିନୀ ଦାସଙ୍କ ନାମରେ ୨୧ ହଜାର ୫୭୩ ଟଙ୍କା, ଅଶୋକ ଦାସଙ୍କ ନାମରେ ୧୭ ହଜାର ୮୮୪ ଟଙ୍କା ବିଦ୍ୟୁତ ବିଲ ଆସିଛି। ବିଲ୍ ଦେଇ ଚାଷୀ ଚିନ୍ତାର ଭାଙ୍ଗି ପଡ଼ିଛନ୍ତି।
ଏ ବାବଦରେ ଉଠା ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କର ୨୦ ହଜାର ଟଙ୍କା ଡିପୋଜିଟ ହୋଇନାହିଁ। ତେଣୁ ମଟର ଲାଗିନାହିଁ ବୋଲି ସୂଚନା ଦେଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ବିଦ୍ୟୁତ ବିଲ ଆସିଲା କିପରି? ଏନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଯଦି ସେମିତି ହୋଇଛି ତେବେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ତୁରନ୍ତ ଏହାର ସମାଧାନ ପାଇଁ ଚାଷୀମାନେ ଦାବି କରିଛନ୍ତି।
The post ବିଦ୍ୟୁତ୍ ସଂଯୋଗ ନହୋଇ ହଜାର ହଜାର ଟଙ୍କାର ବିଲ୍ first appeared on Sambad.from ଜିଲ୍ଲା | Sambad https://ift.tt/36hJnII
0 Comments