ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜର ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ନିକଟରେ ବ୍ୟାପକ ଚାରା ରୋପଣ କରାଯାଇଥିଲା। ମାତ୍ର ଭାଲୁଡୁଙ୍ଗୁରି କଲୋନି ପଡ଼ାର ପୁରୁଷ ଓ ମହିଳାମାନେ ଚାରା ଉପାଡ଼ିବା ସହ ତାର ବାଡ଼ ଭାଙ୍ଗି ଦେଇଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁସାରେ ଭାଲୁଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ନିକଟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ କରାଯାଇଥିଲା। ଏଥିରେ ବାଣିଜ୍ୟ ପରିବହନ, ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଶାନ୍ତ ସାମନ୍ତରାୟଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ପ୍ରାୟ ୫୦ ହେକ୍ଟର ଜମିରେ ପ୍ରାୟ ୩୨ ହଜାର ଚାରାରୋପଣ କରାଯାଇଥିଲା। କିନ୍ତୁ ରବିବାର ଦିନ ବସ୍ତି ବାସିନ୍ଦା ଉଚ୍ଛେଦ କମିଟିର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ବରେ ଭାଲୁଡୁଙ୍ଗୁରୀ କଲୋନି ପଡ଼ାର ପ୍ରାୟ ୪୦ ଜଣ ପୁରୁଷ ଓ ମହିଳା ମିଳିତ ଭାବରେ ପ୍ରାୟ ୫ ହଜାର ଚାରା ଉପାଡ଼ି ଫିଙ୍ଗି ଦେଇଛନ୍ତି। ଏହା ସହିତ ୨୯୫ଟି ସିମେଣ୍ଟ ଖମ୍ବ ଓ ଲୁହାର ତାର ଜାଲି ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଏହି ଜମି ସେମାନେ ବ୍ୟବହାର କରୁଥିବା ଅଭିଯୋଗ କରି ଏମିତି କରିଥିବା କୁହାଯାଉଛି।

ବନୀକରଣ ଦିନ କିଛି ପ୍ରତିବାଦ କରି ନଥିବା ପଡ଼ାବାସୀ ହଠାତ୍‌ କାହା ପ୍ରରୋଚନାରେ ପଡ଼ି ଏମତି କଲେ ବୋଲି ଚର୍ଚ୍ଚା ହେଉଛି। ତେବେ ବୀରମହାରାଜପୁର ରେଞ୍ଜ ଅଧିକାରୀ ଅବିନାଶ ବେରିହା ସୁବଳୟା ଥାନାରେ ଜ୍ୟୋତିର୍ମୟୀ ରଥଙ୍କ ସହିତ ଅନ୍ୟ ୮ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଏଏସ୍ଆଇ ମଘା ବାରିକ ତଦନ୍ତ ଚଳାଇଛନ୍ତି। ଦୋଷୀଙ୍କ ବି‌ରୋଧରେ କଡ଼ା କାଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

The post ମନ୍ତ୍ରୀ ରୋପିଲେ ଚାରା, ଉପାଡ଼ିଲେ ପଡ଼ାବାସୀ, ୮ ଜଣଙ୍କ ନାଁ’ରେ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3xdJujz