କଣ୍ଟାମାଳ : ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ପିଛା କରି ୪ ଜଣ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ମାଡ଼ଖାଇ ଏବେ ମନମୁଣ୍ଡା ଥାନାରେ ଅଟକ ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ରାତି ୯ଟା ସମୟରେ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ବରରୁ ନିଜ ନିର୍ବାଚନମଣ୍ଡଳୀ ବୀରମହାରାଜପୁର ପଟକୁ ଯାଉଥିଲେ। ଏହି ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧିଛକଠାରେ ୪ ଜଣ ଯୁବକଙ୍କୁ ପାଇଲଟିଂ ଗାଡ଼ିର ପୁଲିସ କର୍ମଚାରୀମାନେ ଅଟକାଇ ନିସ୍ତୁକ ମାଡ଼ମାରି ମନମୁଣ୍ଡା ଥାନାରେ ଜିମା ଦେଇଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା ଚାରିଛକଠାରୁ ଏକ କଳା ରଙ୍ଗର ହୁଣ୍ଡାଇ କମ୍ପାନିର କାର୍‌ରେ ଉକ୍ତ ୪ଜଣ ଯୁବକ ବସି ଆଗରେ ଯାଉଥିବା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ପିଛା କରୁଥିଲେ। ଦୀର୍ଘ ୮୦ କିମି ଦୂର ପିଛା କରିବାରୁ ପାଇଲଟିଂ ଗାଡ଼ିରେ ଥିବା ପୁଲିସ ସନ୍ଦେହ କରିଥିଲା। ମନ୍ତ୍ରୀ ମନମୁଣ୍ଡା ଗାନ୍ଧିଛକରେ ବୌଦ୍ଧ ଜିଲ୍ଲା ଅତିକ୍ରମ କରି ସୁବର୍ଣ୍ଣପୁର ଜିଲ୍ଲା ଅଭିମୁଖେ ଗଲା ପରେ ଉକ୍ତ ପିଛା କରୁଥିବା ଗାଡ଼ିକୁ ଗାନ୍ଧିଛକରେ ଅଟକାଇ ନିର୍ଧୂମ ମାଡ଼ ମାରିଥିଲେ ଏବଂ ସେହି ୪ ଜଣ ଅଭିଯୁକ୍ତଙ୍କୁ ମନମୁଣ୍ଡା ଥାନାରେ ଜିମା ଦେଇଥିଲେ।

ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ଏହି ସ୍ପର୍ଶକାତର ଘଟଣାରେ ଉକ୍ତ ୪ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି। ରାତି ୧୦ଟା ପର୍ଯ୍ୟନ୍ତ ଯୁବକମାନଙ୍କ ପରିଚୟ ମିଳିପାରିନାହିଁ। ଏହି ଚାରିଜଣ ବ୍ୟକ୍ତି କେଉଁ ଉ‌ଦ୍ଦେଶ୍ୟରେ ମନ୍ତ୍ରୀଙ୍କୁ ପିଛା କରୁଥିଲେ ତାହାର ତଦନ୍ତ ଚାଲିଛି ଏବଂ ଗୁରୁବାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

The post ମନ୍ତ୍ରୀଙ୍କୁ ପିଛା କରିବା ମହଙ୍ଗା ପଡ଼ିଲା, ମାଡ଼ଖାଇ ୪ ଯୁବକ ଥାନାରେ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3f6bzmJ