
ହରଭଙ୍ଗା : ହରଭଙ୍ଗା ତହସିଲ ଅନ୍ତର୍ଗତ ବାଇଶିପଡ଼ାଠାରେ ଥିବା ଏଆର୍ଏସ୍ଏସ୍ ନାମକ ଏକ ଷ୍ଟୋନ୍ କ୍ରସରରୁ ଗୁରୁବାର ବାହାରକୁ ମାଲ ପରିବହନ ହେଉଥିବା ଜଣାପଡ଼ିଥିଲା। ଏହାକୁ ନେଇ ଖରଭୂଇଁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ମହିଳା ମହାସଂଘର ସଦସ୍ୟା ଓ ଗ୍ରାମ୍ୟ କମିଟି ସଦସ୍ୟମାନେ ଦିନ ୧୨ଟା ସମୟରେ ବାଇଶିପଡ଼ାରେ ପହଞ୍ଚିଥିଲେ। ସେଠାରେ କ୍ରସର ରାସ୍ତା ଉପରେ କାଠଗଣ୍ଡି ପକାଇବା ସହ ତାକୁ ଖୋଳି ଠିକାସଂସ୍ଥାର ଯାନବାହନ ଚଳାଚଳକୁ ବନ୍ଦ କରିଥିଲେ। ଏପରିକି ସେହି ରାସ୍ତାରେ ଯିବାପାଇଁ ମାଲ ପରିବହନ କରି ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକର ଚକରୁ ପବନ ଖୋଲିଦେଇଥିଲେ।

ସେମାନଙ୍କର କହିବା କଥାହେଲା ଛତ୍ରଙ୍ଗ ପଞ୍ଚାୟତର ଖରଭୂଇଁ ମୌଜାରେ ବହୁବର୍ଷ ହେଲା ଚାଲି ଆସୁଥିବା ଷ୍ଟୋନ୍ କ୍ରସର ଓ ପଥରକ୍ବାରିଗୁଡ଼ିକ ଯୋଗୁଁ ପ୍ରଦୂଷଣ ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବାୟୁ ପ୍ରଦୂଷଣ ସହିତ ପାନୀୟ ଜଳ ଗଭୀର ଭାବେ ପ୍ରଭାବିତ ହୋଇ ଦୂଷିତ ହେବାରେ ଲାଗିଛି। ଫଳରେ ଆଖପାଖ ଅଞ୍ଚଳରେ ଅନେକ ଲୋକ କିଡନି ଓ ଶ୍ୱାସ ଯୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେଣି। ଆହୁରୀ ଅନେକ ଲୋକ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି। ତେଣୁ ସମୂହ ସ୍ୱାର୍ଥ ପାଇଁ ଏହି ଅଞ୍ଚଳରେ ଥିବା ସମସ୍ତ ଷ୍ଟୋନ୍ କ୍ରସର ହଟାଇବା ସହ ପଥରକ୍ବାରିଗୁଡ଼ିକୁ ମଧ୍ୟ ବନ୍ଦ କରିବା ପାଇଁ ଆନ୍ଦୋଳନ ଜାରିରଖିଛନ୍ତି।
ଏହାକୁ ନେଇ ମହିଳା ମହାସଂଘ, ଗ୍ରାମ୍ୟ କମିଟି ଓ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏ କୌଣସି ସମାଧାନର ବାଟ ଫିଟି ନାହିଁ। ମାତ୍ର ଲୋକଙ୍କ ଭାବାବେଗକୁ ବେଖାତିର କରି ସମ୍ପୃକ୍ତ ସଂସ୍ଥା ମନମାନୀ କ୍ରସରରୁ ବାହାରକୁ ମାଲ ପରିବହନ କରିବାରୁ ଏହାର ପ୍ରତିବାଦରେ ଏଭଳି ପଦକ୍ଷେପ ନିଆଗଲା ବୋଲି ଉପସ୍ଥିତ ମହିଳାମାନେ କହିଛନ୍ତି।
The post ଷ୍ଟୋନ୍ କ୍ରସରରୁ ମାଲ ପରିବହନକୁ ନେଇ ଉତ୍ତେଜନା, ପ୍ରତିବାଦରେ ରାସ୍ତା ଖୋଳି ଗାଡ଼ି ମଟର ବନ୍ଦ କଲେ ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/3wVGOXD
0 Comments