
ଜୟପୁର: କୋଭିଡର ଦ୍ବିତୀୟ ଲହରର ତୀବ୍ରତା ଏବଂ ଭୟାବହତା ଦୃଷ୍ଟିରୁ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାର ଗୁରୁତ୍ବକୁ ବୁଝି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଜିଲ୍ଲାମାନଙ୍କରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେବା ସହ ତୁରନ୍ତ ଏହାର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିବା ବିଭିନ୍ନ ବିଭାଗକୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଏହି କ୍ରମରେ ଜାତୀୟରାଜପଥ ପ୍ରାଧିକରଣ (ଏନଏଚ୍ଏଆଇ )କୁ କୋରାପୁଟ ଜିଲ୍ଲା ପାଇଁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ସ୍ଥାପନ କରିବାକୁ ଦାୟିତ୍ବ ଦିଆଯାଇଥିଲା। ଦୁର୍ଗମ, ପାହାଡ଼ିଆ, ବନବାସୀ ଅଧ୍ୟୁଷିତ ଜିଲ୍ଲା ମଧ୍ୟରେ ଏହା ରହିଥିବା ବେଳେ ଏଠାରେ ଘୋଷଣାର ୩ମାସ ବିତିଥିଲେ ହେଁ ଆରମ୍ଭ ହୋଇ ପାରିନି।
ବର୍ତ୍ତମାନ ଜିଲ୍ଲାରେ ଏକ ମାତ୍ର ବେସରକାରୀ ଅକ୍ସିଜେନ୍ ପ୍ଲାଣ୍ଟ୍ ରହିଛି। ଏହି ସ୍ଥିତିରେ କରୋନା ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଅତ୍ୟନ୍ତ ଜରୁରି । ମହାମାରୀର ଦ୍ବିତୀୟ ଲହୀରରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଅତି ଉପାଦେୟ ହୋଇ ପଡିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ୧ମ ପର୍ଯ୍ୟାୟରେ ୧୭ଜଣ ମରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟରେ ୪୭ଜଣ ମରିଛନ୍ତି। ସେଭଳି ଭୟଙ୍କର ଡେଲଟା ଭ୍ୟାରିଆଣ୍ଟକୁ ନେଇ ତୃତୀୟ ଲହରୀ ମଧ୍ୟ ଖୁବ୍ ଶୀଘ୍ର ଆସୁଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ କରିଛି। ଜିଲ୍ଲାମୁଖ୍ୟଚିକିତ୍ସାଳୟର ଆଉଟ୍ ଡୋର ପଛ ପଟେ ତଥା ପୁରୁଣା ଆହାର କେନ୍ଦ୍ର ପାର୍ଶ୍ବରେ ୨ଟି ଜମି ଏଥି ପାଇଁ ଚିହ୍ନଟ କରାଯାଇଥିବା କହିଛନ୍ତି ଡିଏମଓ ଡ.ଆରଏନ୍ ମିଶ୍ର ଓ ହସ୍ପିଟାଲ ପରିଚାଳକ ବିଭାବସୁ ରାଉତ। ମିଳିଥିବା ସୂଚନା ମୁତାବକ, ଜୟପୁରରେ ତରଳ ମେଡିକାଲ ମେଡିକାଲ ଓ ଚାପ ଅବଶୋଷ ପ୍ରାଣାଳୀ ଅକ୍ସିଜେନ୍ ପ୍ଲାଣ୍ଟ(ପିଏସଏ) କରାଯିବାର ଯୋଜନା ରହିଛି।
ଏହାରି ମଧ୍ୟରେ ଗତ ମେ ୩୧ରେ ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର ଜୟପୁର ଗସ୍ତରେ ଆସିଥିବା ବେଳେ ଜୟପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଓକ୍ସିଜେନ୍ ପ୍ଲାଣ୍ଟ ଆସନ୍ତା ୩ମାସ ମଧ୍ୟରେ ସ୍ଥାପନ ହେବ ବୋଲି କହିଥିଲେ। ତେବେ ମାସକ ପରେ କେବଳ ସ୍ଥାନ ନିରୁପଣକୁ ବାଦ୍ ଦେଲେ କିଛି କାମ ଆରମ୍ଭ ହୋଇପାରିନି। ଆସନ୍ତା ୨ମାସ ମଧ୍ୟରେ ଏହା ସ୍ଥାପନ ହୋଇ ପାରିବ କି ନାହିଁ , ତାହା ସମୟ ହିଁ କହିବ।
The post ଜୟପୁରରେ କେବେ ପ୍ରତିଷ୍ଠା ହେବ ଅକ୍ସିଜେନ୍ ପ୍ଲାଣ୍ଟ ? first appeared on Sambad.from ଜିଲ୍ଲା | Sambad https://ift.tt/367VWq0
0 Comments