
ସୁନ୍ଦରଗଡ଼ : କରୋନା କାଳରେ ଆପଣାର ଲୋକ ଭଳି ଅଜଣା, ଅପରିଚିତଙ୍କ ଶବ ସତ୍କାର କରିଥିଲେ। ଏବେ ମୃତକଙ୍କ ସମୁହ ଅସ୍ଥି ବିସର୍ଜନ କରିବେ। ଗୋଟିଏ କି ଯୋଡ଼େ ମୃତକଙ୍କ ଅସ୍ଥି ନୁହେଁ, ୨୯ ଜଣଙ୍କ ଅସ୍ଥି କଳସ ଯିବ ଉତ୍ତରପ୍ରଦେଶ ପ୍ରୟାଗରାଜ। ଶବ ସତ୍କାର କରି ମାନବିକତା ଦେଖାଇଥିବା ସୁନ୍ଦରଗଡ଼ର ଚାରି ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା, ମନୋଜ ତ୍ରିପାଠୀ, ଶିଶିର ବେହେରା ଓ କମଲେଶ ନଥାନି ଅସ୍ଥି ବିସର୍ଜନ କରିବାର ନିଷ୍ପତ୍ତି ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।
କରୋନାର ଦ୍ବିତୀୟ ଲହରରେ ଅପ୍ରେଲ ୧୪ ତାରିଖରୁ ଏଯାଏ ୨୮୨ ସଂକ୍ରମିତଙ୍କ ମୃତ ଦେହକୁ ସତ୍କାର କରିଥିଲେ ଶ୍ମଶାନବନ୍ଧୁ। ସେଥିମଧ୍ୟରୁ ୬୫ ମୃତ ଦେହକୁ ସଂକ୍ରମଣ ଭୟରେ ପରିବାର ଲୋକେ ହସ୍ପିଟାଲ କି ଶ୍ମଶାନରେ ଛାଡ଼ି ପଳାଇ ଯାଇଥିଲେ। ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟକୁ ଶେଷ ବିଦାୟ ଦେବାକୁ ଭୁଲି ଯାଇଥିବା ପ୍ରିୟ ପରିଜନ ହିନ୍ଦୁ ବିଶ୍ବାସର ପ୍ରଥା ଅନୁସାରେ ଅସ୍ଥି ନେବାକୁ ବି ଆସି ନଥିଲେ। ଏମିତିରେ ସୁନ୍ଦରଗଡ଼ ସ୍ବର୍ଗଦ୍ବାରରେ ୬୫ ଜଣଙ୍କ ଅସ୍ଥି କଳସ ଆତ୍ମୀୟ ପରିଜନଙ୍କ ଅପେକ୍ଷାରେ ରହିଥିଲା। କ୍ରମାନ୍ବୟରେ ମୋବାଇଲ୍ ଫୋନ ନମ୍ବର ଓ ନାଁ ସହିତ ମାଟି କଳସରେ ମୃତକଙ୍କ ଅସ୍ଥିକୁ ସମ୍ମାନର ସହ ରଖାଯାଇଥିଲା। ବାରମ୍ବାର ଫୋନ କରିବା ପରେ ୩୬ ମୃତକଙ୍କ ଅସ୍ଥି ନେଇ ବିସର୍ଜନ କରିଥିଲେ ସେମାନଙ୍କ ଆତ୍ମୀୟ। ତେବେ ୨୯ଟି ମୃତକଙ୍କ ଅସ୍ଥି ନେବା ତ ଦୂରର କଥା, ଶ୍ମଶାନବନ୍ଧୁଙ୍କ ଫୋନ୍ କଲକୁ ବି ଏଡ଼ାଇ ଯାଇଥିଲେ।
ଶେଷକୁ ସମ୍ପର୍କ ଓ ମାନବୀୟ ସଂକଟର ଏ ଛାତି ଥରା ବେଳାରେ ମାନବୀୟ କାର୍ଯ୍ୟ ତୁଲାଇବାକୁ ଆଗେଇ ଆସିଛନ୍ତି ଶ୍ମଶାନବନ୍ଧୁ। ଏହିକ୍ରମରେ ଗୁରୁବାର ପୂର୍ବାହ୍ନ ୧୦ଟାରେ ରାଣୀବଗିଚା ସ୍ବର୍ଗଦ୍ବାର ଠାରେ କର୍ମକାଣ୍ଡି ପଣ୍ଡିତମାନେ ସାମୁହିକ ଅସ୍ଥି ସିଞ୍ଚନ ଓ ବିଧି ପୂଜାପାଠ କରିଥିଲେ। ଅପରାହ୍ନରେ ଅସ୍ଥିକଳସ ସହର ପରିକ୍ରମା କରିଥିଲା। ୨ ତାରିଖ (ଶୁକ୍ରବାର) ଭୋର ୫ଟାରେ ଶ୍ମଶାନବନ୍ଧୁମାନେ ପ୍ରୟାଗରାଜ ଅଭିମୁଖେ ବାହାରିବେ। ୩ ତାରିଖରେ ପ୍ରୟାଗରାଜ ସଂଗମରେ ସାମୁହିକ ପିଣ୍ଡଦାନ ଓ ଅସ୍ଥିକଳସ ବିସର୍ଜନ କରାଯିବ।
The post କରୋନା ମୃତକଙ୍କୁ ଶ୍ମଶାନବନ୍ଧୁଙ୍କ ଶେଷ ସମ୍ମାନ; ଦାହ ସଂସ୍କାର କରିଥିଲେ, ଏବେ ପ୍ରୟାଗରେ ହେବ ଅସ୍ଥି ବିସର୍ଜନ first appeared on Sambad.from ଜିଲ୍ଲା | Sambad https://ift.tt/3xc715g
0 Comments