
ଲାଞ୍ଜିଗଡ଼ : ନିଜର ୩ ମାସର ଶିଶୁକୁ ସ୍ତ୍ରୀର ଅଜାଣତରେ ଅପହରଣ କରି ବାପା ଗିରଫ ହୋଇଛି। ଏହି ମାମଲାରେ ବିଶ୍ବନାଥପୁର ପୁଲିସ୍ ଲୁମା ଗାଁର ଅଭିଯୁକ୍ତ ଦାସବାବୁ ବାଗ (୩୦ ବର୍ଷ), ତା’ର ବାପା ତ୍ରିନାଥ ବାଗ (୫୦ ବର୍ଷ), ମା’ ଚେରୁ ବାଗ (୪୫ ବର୍ଷ) ଓ ସ୍ତ୍ରୀ ଦିପାଳୀ ମାଝୀ (୨୨ ବର୍ଷ) ଙ୍କୁ କୋର୍ଟଚାଲାଣ କରିଛି। ପୁଲିସ୍ ଶିଶୁକୁ ଉଦ୍ଧାର କରି ତା’ର ମା’ ଅଷ୍ଟମୀ ବାଗଙ୍କୁ ହସ୍ତାନ୍ତର କରିଛି।
ସୂଚନାନୁସାରେ ଅଷ୍ଟମୀ ହେଉଛନ୍ତି ଦାସବାବୁର ପ୍ରଥମ ସ୍ତ୍ରୀ। ଅଷ୍ଟମୀ ୯ ମାସର ଗର୍ଭବତୀ ଥିବାବେଳେ ଅଭିଯୁକ୍ତ ଦ୍ବିତୀୟ ବିବାହ କରିଥିଲା। ଏହାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଏନେଇ ସମାଜରେ କଥା ପଡ଼ିବାରୁ ଅଭିଯୁକ୍ତ ତା’ର ପ୍ରଥମ ସ୍ତ୍ରୀ ଓ ୩ ଝିଅର ଭରଣପୋଷଣ ପାଇଁ ରାଜି ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଦାସବାବୁ ପ୍ରଥମ ସ୍ତ୍ରୀକୁ ବାରମ୍ବାର ନିର୍ଯାତନା ଦେବାରୁ ସେ ବାପା ଘରେ ରହୁଥିଲେ। ଗତ୨୧ ତାରିଖରେ ଶ୍ବଶୁର ଘରକୁ ଯାଇ ଦାସବାବୁ ସମସ୍ତଙ୍କ ଅଜାଣତରେ ନିଜର ୩ ମାସ ଶିଶୁପୁତ୍ରକୁ ଅପହରଣ କରି ନେଇଥିଲା। ଏନେଇ ଅଷ୍ଟମୀ ବିଶ୍ବନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଥାନାଧିକାରୀ ରୁନୁ କୁମାରୀ ମାଝୀ ଘଟଣାର ତଦନ୍ତ କରି ଶିଶୁକୁ ଉଦ୍ଧାର କରିଥିଲେ।
The post ଶିଶୁପୁତ୍ରକୁ ଅପହରଣ କରି ଜେଲ୍ ଗଲା ବାପା first appeared on Sambad.from ଜିଲ୍ଲା | Sambad https://ift.tt/3rzaUPE
0 Comments